ବୋନ୍‌ କ୍ୟାନ୍‌ସରରେ ପୀଡ଼ିତ ୩ ବର୍ଷର ଶିଶୁ

କୋରେଇ,୧ା୩(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା କୋରେଇ ବ୍ଲକ ଅନ୍ଧାରି ପଞ୍ଚାୟତ ରଗଡ଼ି ଗ୍ରାମର ରାଜେନ୍ଦ୍ର ରାଉତ ଓ କନକ ରାଉତଙ୍କ ୩ ବର୍ଷର ଶିଶୁପୁତ୍ର ଦୀପକ ରାଉତ ବୋନ କ୍ୟାନ୍‌ସରରେ ପୀଡ଼ିତ ହୋଇ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୬ ମାସ ତଳେ ଦୀପକଙ୍କୁ ଜ୍ୱର ଲାଗି ରହିବାରୁ ରାଜେନ୍ଦ୍ର ତାଙ୍କୁ କଟକ ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ୧ ମାସ ରହିବା ପରେ ସାମାନ୍ୟ ଭଲ ହେବାରୁ ଘରକୁ ନେଇ ଆସିଥିଲେ। ହେଲେ ୫ରୁ ୧୦ ଦିନ ପରେ ପୁଣିଥରେ ଜ୍ୱର ହେବାରୁ ତାଙ୍କୁ ପରିବାର ଲୋକେ ପୁନର୍ବାର କଟକ ନେଇଥିଲେ। ପୁନଶ୍ଚ ୨ ମାସ ସେଠାରେ ରହିବା ପରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରି ଡାକ୍ତର ଶିଶୁଟିକୁ ବୋନ୍‌ କ୍ୟାନ୍‌ସର ହୋଇଛି ବୋଲି ରିପୋର୍ଟ ଦେଇଥିଲେ। ଏହାପରେ ଦୀପକଙ୍କୁ ଏମ୍‌ସ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨ ମାସ ହେବ ଦୀପକ ଚିକିତ୍ସିତ ହୋଇ ଆସୁଥିଲେ ହେଁ ଏବେ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଅପରେଶନ ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି। ରାଜେନ୍ଦ୍ର ଜଣେ ରଙ୍ଗ ମିସ୍ତ୍ରି। ଯାହାକିଛି ଅର୍ଥ ଥିଲା ପୁଅର ଚିକିତ୍ସାରେ ଶେଷ ହୋଇସାରିଛି। ଏବେ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ ବୋଲି ରାଜେନ୍ଦ୍ର କହିଛନ୍ତି। ତେବେ ସରକାରୀ ସହାୟତା ମିଳିଲେ ପୁଅ ଭଲ ହୋଇପାରନ୍ତା ବୋଲି ଦୀପକଙ୍କ ମା’ କନକ ରାଉତ କୋହ ଭରା କଣ୍ଠରେ କହିଛନ୍ତି। ଅନ୍ୟପକ୍ଷରେ କୌଣସି ସ୍ବେଚ୍ଛାସେବୀ ସଂଗଠନ କିମ୍ବା ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଲେ ଦୀପକ ସୁସ୍ଥ ହୋଇପାରନ୍ତେ ବୋଲି କେତେଜଣ ସାମାଜିକ କର୍ମୀ ମତବ୍ୟକ୍ତ କରିଛନ୍ତି।