୩ ବର୍ଷର ଶିଶୁ ବଞ୍ଚାଇଦେଲା ୨ ଭଉଣୀଙ୍କ ଜୀବନ

ରାଜନଗର,୨୦।୮(ଭାସ୍କର ରାଉତରାୟ):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ ଡାଙ୍ଗମାଳ ପଞ୍ଚାୟତ ତ୍ରିଲୋଚନପୁର ଗାଁର ବାବୁରାମ ଗିରିଙ୍କ ୭ ବର୍ଷର ଝିଅ ଶୁଭଶ୍ରୀ ଓ ଦାଶରଥି ଗିରିଙ୍କ ୬ ବର୍ଷର ଝିଅ ବର୍ଷା ଘର ଆଗରେ ଥିବା ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ। ପରିବାର ଲୋକେ ଚାଷ କାର୍ଯ୍ୟରେ ବିଲରେ ଥିବା ବେଳେ ମା’ ଘର ଭିତରେ କାମ କରୁଥିଲେ। ୨ଜଣ ବାଳିକା ପୋଖରୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ପୋଖରୀ ମଝିକୁ ଚାଲିଯାଇଥିଲେ। ପୋଖରୀ ମଝିରେ ୨ଜଣ ବୁଡ଼ି ଯାଇଁ ପାଣି ପିଇ ଦେଇଥିଲେ। ବୁଡ଼ି ଯାଉଥିବା ସମୟରେ ସେମାନଙ୍କ ଚିତ୍କାର ଶୁଣି ପାଖରେ ଖେଳୁଥିବା ଶୁଭଶ୍ରୀଙ୍କ ସାନଭଉଣୀ ଜୟଶ୍ରୀ(୩) ପାଟି କରିବା ସହ ଘର ଭିତରକୁ ଦୌଡ଼ି ଯାଇ ମା’ଙ୍କୁ ଡାକିଥିଲା। ମା’ଅପର୍ଣ୍ଣାଙ୍କ ସହିତ ଦାଦା ଦୌଡି ଆସି ପୋଖରୀ ମଧ୍ୟକୁ ଡେଇଁ ୨ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଉଭୟଙ୍କୁ ଡାଙ୍ଗମାଳସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଶୁଭଶ୍ରୀ ଓ ବର୍ଷା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ବର୍ଷର ଝିଅ ଜୟଶ୍ରୀଙ୍କ ପାଇଁ ୨ ଭଉଣୀଙ୍କ ଜୀବନ ବଞ୍ଚତ୍ଗଲା ବୋଲି ସବୁଠି ଚର୍ଚ୍ଚା ହେଉଛି।