କେନ୍ଦ୍ରାପଡ଼ା ଅଫିସ,୨୯।୧: ମା-ବାପାଙ୍କ ଆଖି ସାମ୍ନାରେ ଜଳିଗଲା ୩ ବର୍ଷର ଝିଅ। ଏପରି ଅଭାବନୀୟ ଘଟଣା ଘଟିଛି ରାଜନଗର ବ୍ଲକ ଓକିଲପାଳ ଗାଁରେ। ଏହି ଗାଁର ରମାକାନ୍ତ ସାମଲ ଗୁରୁବାର ରାତିରେ ବିଲରେ ନିଜ ପରିବାର ସହିତ ଧାନ ଜଗିବା ପାଇଁ ପଲା କରି ଶୋଇଥିବା ବେଳେ ରାତିରେ ଷଣ୍ଢ ଖାଇବାରୁ ରମାକାନ୍ତ ଷଣ୍ଢକୁ ଗୋଡ଼ାଇବାକୁ ଯାଇଥିଲେ। ଏହି ସମୟରେ ପଲାରେ ଜଳୁଥିବା ଡିବିରି ଆଲୁଅରୁ ଅଗ୍ନିକାଣ୍ଡ ଘଟିଥିଲା। ତେବେ ରମାକାନ୍ତ ଦୌଡ଼ିଆସି ସ୍ତ୍ରୀ ଓ ବଡ଼ଝିଅକୁ ଉଦ୍ଧାର କରିବା ବେଳେ ନିଜେ ପୋଡି ହୋଇଯାଇଥିଲେ।
ଏହି ଅଘଟଣରେ ରମାକାନ୍ତଙ୍କ ୩ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୧୨ବର୍ଷର ବଡ଼ଝିଅ ରିଙ୍କୁଲି,ସ୍ତ୍ରୀ ଓ ନିଜେ ରମାକାନ୍ତ ଗୁରୁତର ହୋଇଛନ୍ତି। ରମାକାନ୍ତଙ୍କ ସମେତ ସ୍ତ୍ରୀ କୁନିରାଣୀ ଓ ବଡ଼ଝିଅ ରିଙ୍କୁଲିଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।