୩ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରି ସମୁଦ୍ର ବାଲିରେ ଫିଙ୍ଗିଦେଲେ

ପାରାଦୀପ,୨୮ା୭(ଶରତ ରାଉତ): ପାରାଦୀପ ଜଟାଧାରମୁହାଣ ଥାନା ଅଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରି ସମୁଦ୍ର ବାଲିରେ କେହି ପକାଇ ଦେଇଥିଲେ। ସେଠାରୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଶିଶୁକନ୍ୟା ଭୋର୍‌ ୫ ଟାରେ ଉଠି ଘର ପାଖରେ ଖେଳୁଥିବା ବେଳେ ଅଭିଯୁକ୍ତ ବଳାତ୍କାରୀ ତାଙ୍କୁ ଉଠେଇ ନେଇ ନିକଟସ୍ଥ ବେଳାଭୂମି ଝାଉଁ ଜଙ୍ଗଲରେ ବଳାତ୍କାର କରିଥିବା କୁହାଯାଉଛି। ଶିଶୁକନ୍ୟାର ପ୍ରଚୁର ରକ୍ତସ୍ରାବ ହେବା ସହ ମୁମୂର୍ଷୁ ଅବସ୍ଥାରେ ସେଠାରେ ପଡ଼ିଥିଲେ। ସେହି ସମୟରେ ମା’ ବାପା ଝିଅକୁ ଖୋଜୁଥିଲେ। ଏତିକି ବେଳେ ଜଣେ ପଡ଼ୋଶୀ ଦମ୍ପତି ଝିଅକୁ ଆଣି ଘରେ ପହଞ୍ଚାଇବା ସହ ଘଟଣା ସମ୍ପର୍କରେ କହିଥିଲେ। ପରେ ସେମାନେ ଝିଅକୁ ନେଇ ପ୍ରଥମେ ଜଟାଧାରମୁହାଣ ସାମୁଦ୍ରିକ ଥାନାକୁ ଯାଇଥିଲେ। ପୋଲିସ ତାଙ୍କୁ ହସ୍ପିଟାଲ ପଠାଇ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଅଭିଯୁକ୍ତ ସମ୍ପର୍କରେ ସୂଚନା ମିଳିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Share