ବାହୁଡ଼ାରେ ଗଡ଼ିଲା ୪ଫୁଟ ଉଚ୍ଚର ରଥ

ସଜନାଗଡ,୨୧।୭(ଡି.ଏନ.ଏ.): ଜଗନ୍ନାଥଙ୍କର ସ୍ବପ୍ନାଦେଶ ପାଇ ୧୯ବର୍ଷର ଦିବ୍ୟାଙ୍ଗ ଯୁବକ ତିଆରି କରିଛନ୍ତି ୪ଫୁଟ ଉଚ୍ଚର ସୁସଜ୍ଜିତ ରଥ। ସେଥିରେ ବଳଭଦ୍ର, ଜଗନ୍ନାଥ, ଓ ମା’ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ କରି ବାହୁଡ଼ାରେ ରଥ ଟାଣି ସେ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଉକ୍ତ ଦିବ୍ୟାଙ୍ଗ ଯୁବକ ହେଲେ ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ଅଁଳାପାଳ ଗ୍ରାମର ରତିକାନ୍ତ ପଢ଼ିଆରୀଙ୍କ ପୁଅ ସାଗର। ସେ ଜନ୍ମରୁ ଦିବ୍ୟାଙ୍ଗ। ପିଲାଦିନରୁ ରଥଟଣା ପ୍ରତି ଥିଲା ତାଙ୍କର ବିଶେଷ ଆଗ୍ରହ। ହେଲେ ଦିବ୍ୟାଙ୍ଗ ଯୋଗୁ ସେ ଯାଇ ପାରୁ ନ ଥିଲେ। ଚଳିତବର୍ଷ ରଥ ନିର୍ମାଣ ପାଇଁ ଦେବସ୍ନାନ ପୂର୍ଣ୍ଣିମାରେ ସ୍ବପ୍ନାଦେଶ ପାଇଥିବା ସାଗର କହିଛନ୍ତି। ପରେ ନିଜ ଘର ବାଡ଼ିରେ ଏକ ନିମ୍ବ ଗଛର ଡାଳକୁ କାଟି ସୋଲ, ପେପର ଓ ନିମ୍ବ କାଠରେ ଆରମ୍ଭ କରିଥିଲେ ରଥ। ମାତ୍ର ୪ଫୁଟ ଉଚ୍ଚତା ବିଶିଷ୍ଟ ରଥକୁ ଏପରି କାରୁକାର୍ଯ୍ୟରେ ଭରି ଦେଇଥିଲେ ଯେ ରଥଟି ଆକର୍ଷଣୀୟ ଦେଖାଯାଉଥିଲା ା ଏହି ରଥକୁ ଶିଶିର କୁମାର ରାଉତ, ଦୀପ୍ତିକାନ୍ତ ପୃଷ୍ଟିଙ୍କ ପ୍ରେରଣାରେ ସାଗର ମଙ୍ଗଳବାର ଅପରାହ୍ନରେ ନୀଳଗିରି ମାଉସୀ ମା’ ମନ୍ଦିରରୁ ପୂଜାର୍ଚ୍ଚନା କରି ନିଜେ ଟାଣି ଟାଣି ଜଗନ୍ନାଥ ମନ୍ଦିର ନିକଟକୁ ନେଇଥିଲେ। ବହୁ କମ୍‌ ଭକ୍ତ ଓ କୋଭିଡ୍‌ କଟକଣାକୁ ମାନି ଦିବ୍ୟାଙ୍ଗ ସାଗର ଟାଣି ଟାଣି ନେବା ବେଳେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା। ଜଗନ୍ନାଥ ମନ୍ଦିର ନିକଟରେ କୁନି ରଥ ପହଞ୍ଚତ୍ବା ପରେ କେତେକ ଭକ୍ତ ଭୋଗ ଲଗାଇ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରିଥିଲେ ା