ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର। ଝାରସୁଗୁଡା ଜିଲା ବେଲପାହାଡର ମିରର ଥିଏଟର କଳାକାରଙ୍କ ପରିଶ୍ରମ ଅନୁଷ୍ଠାନକୁ ନୂଆ ପରିଚୟ ଆଣି ଦେଇଛି। ସେମାନେ ସମ୍ବଲପୁରୀ ନାଟକ ‘କାଏନ୍‌ଜୁରୀ’ ପରିବେଷଣ କରିଥିଲେ। ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କରି ଇଣ୍ଟରନ୍ୟାଶନାଲ ଏକ୍ସସିଲେନ୍ସ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା ମିରର ଥିଏଟର କେବଳ ଝାରସୁଗୁଡା ଜିଲା ନୁହେଁଁ, ସମଗ୍ର ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛି। ବିଶ୍ୱ ରେକର୍ଡ ଲକ୍ଷ୍ୟରେ ଡିସେମ୍ବର ୧ ସା ୭ ଟା ୪୫ରୁ ବେଲପାହାଡ଼ର ଗୁମାଡେରା ମାଳିପଡ଼ାସ୍ଥିତ ମିରର ଥିଏଟରର ନିଜସ୍ବ ମଞ୍ଚରେ ନାଟକ ପରିବେଷଣ ଆରମ୍ଭ ହୋଇଥିଲା। ଏହା ଡିସେମ୍ବର ୩ ତାରିଖ ରାତି ୯ଟା ୩୩ରେ ସରିଥିଲା। ନାଟକର ଅବଧି ୪୮ ଘଣ୍ଟାର ଲକ୍ଷ୍ୟ ରହିଥିବାବେଳେ ଶେଷ ହେବାକୁ ୪୯ ଘଣ୍ଟା ୪୮ ମିନିଟ ୧୨ ସେକେଣ୍ଡ ଲାଗିଥିଲା। ‘କାଏନ୍‌ଜୁରୀ’ରେ ଲାଲ ପାଏନ, ଦୂର ଆକାଶେ, ଗାଁ, ଟ୍ରାଫିକ ପୋଷ୍ଟ, ବେକାର, ହନୁମାନ ପଇସା, ଗୁଗଲ ମ୍ୟାପ, ଗୁରୁ ଚେଲା, ଚେହେରା, ମୂର୍ତ୍ତି, କାଠର ଚୌକି, ତୋର କିରିଆ, ପାଚେନ ପରି ଶହେଟି ଛୋଟ ନାଟକକୁ ବିନା ବ୍ରେକ୍‌ରେ ଗୋଟିଏ ପରେ ଗୋଟିଏ ପ୍ରଦର୍ଶିତ ହୋଇଥିଲା। ଦେଢ଼ ମାସର ଛୋଟ ଶିଶୁଠାରୁ ଆରମ୍ଭ କରି ୭୫ ବର୍ଷର ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ୨୦୦ରୁ ଅଧିକ କଳାକାର ଏଥିରେ ଅଭିନୟ କରିଥିଲେ। ନାଟ୍ୟ ଇତିହାସରେ ମିରର ଥିଏଟର ଏହିଭଳି ପ୍ରୟାସକୁ ଉପସ୍ଥିତ ଅତିଥି, ନାଟ୍ୟକାର ତଥା ଦର୍ଶକମାନେ ପ୍ରଶଂସା କରିଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ସୁବାଷ ପ୍ରଧାନ କହିଛନ୍ତି, ଏହି ପ୍ରୟାସ ଆଗାମୀ ପିଢ଼ିଙ୍କୁ ପ୍ରେରଣା ଦେବା ସହ ଆମମାନଙ୍କ ପାଇଁ ମଧ୍ୟ ଖୁସି ଆଣିଦେଇଛି।

Share