Categories: ମେଟ୍ରୋ

ଯୁବତୀଙ୍କ ପେଟରୁ ବାହାରିଲା ୫୭ କେଜି ଟ୍ୟୁମର

ଖୋର୍ଦ୍ଧା ଅଫିସ,୨୮ା୧୦: ଦୀର୍ଘ ୧୦ବର୍ଷ ଧରି ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଜଣେ ଯୁବତୀଙ୍କ ପେଟକୁ ସୋମବାର ଅସ୍ତ୍ରୋପଚାର କରାଯାଇ ୫୭କେଜି ଓଜନର ଟ୍ୟୁମର ବାହାର କରାଯାଇଛି। ଯୁବତୀ ଜଣକ ହେଲେ ନବରଙ୍ଗପୁର ଜିଲା ଅଞ୍ଚଳାଡ଼ିହି ପଣ୍ଡ୍ରିପାଖନା କଚରପଡ଼ା ଗ୍ରାମର ଫୁଲମତୀ ଗଣ୍ଡ(୨୫)। ଖୋର୍ଦ୍ଧା ଜିଲା କୁହୁଡି ସାଇ ସେବା ସଦନରେ ୫ଜଣିଆ ଡାକ୍ତରୀ ଟିମ୍‌ର ୫ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଏହି ଟ୍ୟୁମର ବାହାର କରାଯାଇଛି।
ସୂଚନା ଅନୁଯାୟୀ, କଚରପଡ଼ା ଗ୍ରାମର ଧନିରାମ ଗଣ୍ଡ ଓ ହାଲୁରୀଙ୍କ ଝିଅ ଫୁଲମତୀ। ଧନିରାମ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ଫୁଲମତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାରଲୋକେ ତାଙ୍କୁ ସ୍ଥାନୀୟ ମେଡିକାଲଠାରୁ କୋରାପୁଟର ବିଭିନ୍ନ ମେଡିକାଲ, ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ପେଟରେ ଟ୍ୟୁମର ହୋଇଥିବା ଜାଣିବା ପରେ ଅର୍ଥ ଅଭାବରୁ ଅପରେଶନ କରିପାରି ନ ଥିଲେ। ଏ ସମ୍ପର୍କରେ କେହି ବ୍ୟକ୍ତି ଫୁଲମତୀଙ୍କୁ ଆର୍ଥିକ ସହଯୋଗ ଲାଗି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଫେସବୁକରେ ତାଙ୍କ ସମ୍ପର୍କରେ ଜାଣିବା ପରେ ସାଇସେବା ସଦନର ମୁଖ୍ୟ ଜଗନ୍ନାଥ ସାହୁ ତାଙ୍କୁ ଯୋଗାଯୋଗ କରିଥିଲେ। ଅକ୍ଟୋବର ୨୧ରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସାଇ ସେବା ସଦନକୁ ଅଣାଯାଇଥିଲା। ସାଥିରେ ଆସିଥିଲେ ଫୁଲମତୀଙ୍କ ମା’ ଏବଂ ଭାଇ। ପରେ ଫୁଲମତୀଙ୍କ କରୋନା ଟେଷ୍ଟ ଏବଂ ଆବଶ୍ୟକ ସମସ୍ତ ରିପୋର୍ଟ ଆସିବା ପରେ ଅପରେଶନ ଲାଗି ସ୍ଥିର ହୋଇଥିଲା। ସୋମବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଅପରେଶନ ହୋଇଥିଲା। କୋରାପୁଟ ମେଡିକାଲର ଆସିଷ୍ଟାଣ୍ଟ ସର୍ଜନ ଡା. ଜଗଦୀଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସାଇ ସେବା ସଦନର ଡା. ସୌମ୍ୟ ଦାଶ, ଆନାସ୍ଥେସିଆ ଡା. ଚନ୍ଦ୍ରଶେଖର ବେହେରା, ବିଶ୍ୱମିତ୍‌ ଛତିରିଆ, ପୂର୍ଣ୍ଣଚନ୍ଦ୍ର ଦତ୍ତ ସାମିଲ ହୋଇଥିଲେ। ଫୁଲମତି ଏବେ ସୁସ୍ଥ ଥିବା ଜଣାପଡ଼ିଛି। ପୂର୍ବରୁ ସାଉଥ ଆଫ୍ରିକାର ଜଣେ ରୋଗୀଙ୍କ ପେଟରୁ ୫୫କେଜି ଟ୍ୟୁମର ବାହାରିଥିଲା। ୫୭କେଜି ଟ୍ୟୁମର ବାହାରିବା ବିରଳ। ଏଥିଲାଗି ଗିନିଜ ଅଫ ରେକର୍ଡ ପାଇଁ ଆବେନ କରାଯିବ ବୋଲି ସାଇସେବା ସଦନର ମୁଖ୍ୟ ଜଗନ୍ନାଥ କହିଛନ୍ତି।

Share