ନୂଆଦିଲ୍ଲୀ,୩।୧୦(ପି.ଟି.): ଦକ୍ଷିଣ ଦିଲ୍ଲୀର ଲୋଧି କଲୋନୀରେ ଶନିବାର ରାତିରେ ଜଣେ ୬ ବର୍ଷର ବାଳକଙ୍କୁ ବଳି ଦିଆଯାଇଛି। ଦୁଇଜଣ ଅଭିଯୁକ୍ତ ଶିଶୁଟିର ଗଳା କାଟି ହତ୍ୟା କରିଥିଲେ। ଅଭିଯୁକ୍ତ ବିହାରର ବିଜୟ କୁମାର ଏବଂ ଅମର କୁମାରଙ୍କୁ ଗିରଫ କରାଯାଇଛି। ସେମାନେ ନିଶାସକ୍ତ ଅବସ୍ଥାରେ ଏଭଳି ଅପରାଧ ଘଟାଇଥିବା ପୋଲିସ କହିଛି।
ନାବାଳକଙ୍କ ବାପା ଓ ଅଭିଯୁକ୍ତମାନେ ନିର୍ମାଣ ଶ୍ରମିକ ଭାବେ କାମ କରିବା ସହ ଗୋଟିଏ ବସ୍ତୀରେ ରହନ୍ତି। ସମୃଦ୍ଧି ପାଇବା ପାଇଁ ବଳି ଚଢ଼ାଇଥିବା ଅଭିଯୁକ୍ତ ସ୍ବୀକାର କରିଛନ୍ତି। ଶନିବାର ରାତି ସାଢ଼େ ୧୦ଟା ବେଳେ ପିଲାଟି ନିଜ ଘରକୁ ଯାଉଥିବାବେଳେ ଅଭିଯୁକ୍ତ ତାଙ୍କୁ ଡାକିନେଇ ପ୍ରଥମେ ମୁଣ୍ଡକୁ ଆକ୍ରମଣ କରିବା ପରେ ଗଳା କାଟିଦେଇଥିଲେ ବୋଲି ଦକ୍ଷିଣ ଦିଲ୍ଲୀର ଡିସିପି ଚନ୍ଦନ ଚୌଧରୀ କହିଛନ୍ତି। ପୋଲିସ ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଏବଂ ୩୪ରେ ମାମଲା ରୁଜୁ କରିଛି।