୯୦ ବର୍ଷୀୟ ଜେଜେମା’ଙ୍କ କାନ୍ଧରେ ୩ ଅନାଥଙ୍କ ବୋଝ

ପାଟଣା,୨୧ା୧୦(ସ୍ବ.ପ୍ର.) ଦୁଇ ବର୍ଷ ପୂର୍ବେ ବାପା ପ୍ରାଣ ହରାଇଥିଲେ। ୩ଦିନ ତଳେ ମା’ଙ୍କ ମୃତ୍ୟୁ ହୋଇଛି। ମା’-ବାପାଙ୍କ ମୃତ୍ୟୁ ପରେ ୩ ପିଲାଙ୍କ ବୋଝ ଏବେ ୯୦ବର୍ଷୀୟା ଜେଜେମା’ଙ୍କ କାନ୍ଧରେ। ନିଜେ ଚଳିବାକୁ ଅକ୍ଷମ ଥିବା ବେଳେ ଏବେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ପଞ୍ଚାୟତ ନିହ୍ନୁଆଁ ଗ୍ରାମରେ।
ବିଶ୍ୱନାଥ ମୁଣ୍ଡାଙ୍କର ଦୁଇ ବର୍ଷ ତଳେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲା। ଗତ ମଙ୍ଗଳବାର ବିଶ୍ୱନାଥଙ୍କ ସ୍ତ୍ରୀ ଚାନ୍ଦ୍ରିକାଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏବେ ତାଙ୍କ ୩ ନାବାଳିକା, ନାବାଳକ ବଡ଼ ଝିଅ ସୁନି ମୁଣ୍ଡା(୧୩), ମଝିଆଁ ପୁଅ ମୁନା ମୁଣ୍ଡା(୧୦) ଓ ସାନ ପୁଅ ସପନ ମୁଣ୍ଡା(୮) ଅନାଥ ହୋଇଯାଇଛନ୍ତି। ୯୦ ବର୍ଷୀୟା ରୋଗଣା ଜେଜେ ମା’ ରୁକ୍ମିଣୀ ମୁଣ୍ଡା ସେମାନଙ୍କ କଥା ବୁଝୁଛନ୍ତି। ମା’ ବାପା ଦିନମଜୁରିଆ ଭାବେ କାମ କରୁଥିଲେ। ସେମାନଙ୍କ ମୃତ୍ୟୁ ପରେ ପିଲାମାନେ ଗୋଟେ ଓଳି ଖାଇଲେ ଗୋଟେ ଓଳି ଉପବାସ ରହିବାକୁ ପଡୁଛି। ଏପରିକି ପିଲାମାନେ ମା’ଙ୍କ ଶୁଦ୍ଧିକ୍ରିୟା ମଧ୍ୟ କରିବାକୁ ଅସମର୍ଥ। ପାଠ କଥା ପଚାରେ କିଏ। ଏବେ କିଭଳି ପିଲାମାନେ ପେଟ ପୋଷିବେ, ଭଲ ମଣିଷ ହେବେ ବୋଲି ରୁକ୍ମିଣୀ କହିଛନ୍ତି। କେହି ସହୃଦୟ ବ୍ୟକ୍ତି ସହାୟତା କରିବାକୁ ସେ କୋହଭରା କଣ୍ଠରେ ନିବେଦନ କରିଛନ୍ତି। ଖବର ପାଇ ତୁରୁମୁଙ୍ଗା ପଞ୍ଚାୟତ ପକ୍ଷରୁ ସରପଞ୍ଚ ସୁଲେଖା ନାଏକଙ୍କ ପ୍ରତିନିଧି ବଳଭଦ୍ର ନାଏକ ଅନାଥ ପିଲାଙ୍କ ଘରେ ପହଞ୍ଚି ଶୁଦ୍ଧିକ୍ରିୟା ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ୩ ଅନାଥ ପିଲାଙ୍କୁ ତୁରନ୍ତ ପ୍ରଶାସନ ଥଇଥାନ କରିବାକୁ ସ୍ଥାନୀୟ ସାମାଜିକ କର୍ମୀ ପୁରନ୍ଦର ସିଂହ, ବଳଭଦ୍ର ନାଏକ, ଲିଙ୍ଗରାଜ ସିଂହ ଓ କୁନ୍ତଳା ସିଂହ ପ୍ରମୁଖ ଦାବି କରିଛନ୍ତି।

Share