ଜଙ୍ଗଲରେ ପଡ଼ିଛି ଗଞ୍ଜେଇ ଭର୍ତ୍ତି ବସ୍ତା, ପୋଲିସର ତନାଘନା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୦ା୮(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଉକ୍ତ ଥାନା ମାଣ୍ଡିପଙ୍କା ଜଙ୍ଗଲରେ ପାଟ୍ରୋଲିଂ ବେଳେ ମିଳିଛି ଗଞ୍ଜେଇ ଭର୍ତ୍ତି ବସ୍ତା। ଯେଉଁଥିରେ ୯୫ କେଜି ଗଞ୍ଜେଇ ରହିଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି। ଏନେଇ ପୋଲିସ ୯୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜୋରଦାର କରିଛି।

ପ୍ରକାଶ ଯେ, ଶୁକ୍ରବାର ପୋଲିସ ସବଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧିଙ୍କ ସମେତ ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଦଳ ଉକ୍ତ ଜଙ୍ଗଲ ଭିତରକୁ ଯାଇଥିଲେ। ସେଠାରେ ୩ଟି ପ୍ଲାଷ୍ଟିକ ବସ୍ତା ପରିତ୍ୟକ୍ତ ଅବସ୍ଥାରେ ଥିବା ନଜରକୁ ଆସିଥିଲା ଓ ପୋଲିସ ଦଳ ଉକ୍ତ ବସ୍ତାକୁ ଯାଞ୍ଚ କରିଥିଲେ। ଏହା ଭିତରେ ଗଞ୍ଜେଇ ଥିଲା। ତେବେ କେହି ଦୁର୍ବୃତ୍ତ ଉକ୍ତ ଗଞ୍ଜେଇକୁ ବିକ୍ରି କରିବାକୁ ବାହାରକୁ ଚାଲାଣ କରିବାକୁ ଜଙ୍ଗଲ ଭିତରେ ଲୁଚାଇ ରଖିଥାଇପାରେ ବୋଲି ପୋଲିସ ଅନୁମାନ କରିଛି। ଅଞ୍ଚଳରେ ପୋଲିସ ପଚରାଉଚରା କରିବା ସହ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନକୁ ଜୋର୍‌ଦାର କରୁଥିବା ଥାନା ଅଧିକାରୀ କହିଛନ୍ତି।