ସନ୍ତୁଳିତ ଆହାର ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୂତାଣୁ(କୋଭିଡ-୧୯)ମହାମାରୀ ରୂପ ଧାରଣ କରି ପ୍ରତିଦିନ ଶହଶହ ଲୋକଙ୍କ ଜୀବନ ନେଉଛି । ଏପରିସ୍ଥଳେ ଉକ୍ତ ମହାମାରୀ ଭୂତାଣୁକୁ ପ୍ରତିରୋଧ ନିମନ୍ତେ ଆମ୍ଭେମାନେ ନିଜ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ପାଇଁ ଅଙ୍କୁରିତ ଖାଦ୍ୟ ଓ ସନ୍ତୁଳିତ ଆହାର ଦୈନନ୍ଦିନ ଖାଇବା ଜରୁରୀ, ଯଦ୍ଦ୍ବାରା ପ୍ରାକୃତିକ ଉପାୟରେ ଆମ ଶରୀରରେ ଆବଶ୍ୟକୀୟ ବିଭିନ୍ନ ଭିଟାମିନର ଅଭାବ ପୂର୍ଣ୍ଣ ହୋଇ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ କରୋନା ଭୂତାଣୁର ପ୍ରଭାବକୁ ପ୍ରତିରୋଧ ନିମନ୍ତେ ସହାୟକ ହୋଇପାରିବ ।
ଜୀବନରେ ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଲା ସ୍ବାସ୍ଥ୍ୟ। ତେଣୁ ଆମେ ଦୈନନ୍ଦିନ ଖାଉଥିବା ଖାଦ୍ୟ ଶୈଳୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପ୍ରତିଦିନ ଖାଦ୍ୟରେ ମୁଗ, ବୁଟ, ବାଦାମ, ମଟର, ଗହମ, ମେଥି ଆଦିକୁ ଅଙ୍କୁରିତ(ଗଜା)କରି ଖାଇବା ଦ୍ୱାର ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଏଥିରେ କ୍ୟାଲୋରୀର ମାତ୍ରା କମ୍‌ ରହିଥିବାରୁ ଏହା ଶରୀରର ଓଜନକୁ ସନ୍ତୁଳିତ ରଖିବା ସହ ପ୍ରୋଟିନର ଆବଶ୍ୟକତା ପୂରଣ କରି ଔଷଧ ଭଳି କାର୍ଯ୍ୟ କରିଥାଏ ।
ମୁଗ, ବୁଟ, ମଟର, ବାଦାମ, ମେଥି ଆଦିକୁ ୬ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଭଲଭାବେ ସଫାକରି ସ୍ବଚ୍ଛ ଜଳରେ ଭିଜାଇ ରଖିଦେଲେ ଏବଂ ପରେ ଏକ ସୂତା ବସ୍ତ୍ରରେ ସେଗୁଡ଼ିକୁ ବାନ୍ଧି କୌଣସି ପାତ୍ର ତା’ ଉପରେ ଘୋଡାଇଦେଲେ ତାହା ଅଙ୍କୁରିତ ହୋଇଥାଏ। ଶସ୍ୟଗୁଡ଼ିକ ଗଜା ହେବା ପରେ କିଛି ସମୟ ଖରାରେ ରଖିଦେଲେ ତାହା ସବୁଜ ବର୍ଣ୍ଣ ହୋଇଥାଏ । ଏଥିରୁ ଜଣାପଡ଼ିଥାଏ ଯେ ଉକ୍ତ ଗଜାରେ ‘କ୍ଲୋରୋଫିଲ’ ନାମକ ସାରାଂଶ ରହିଛି କି ନାହିଁ । କାରଣ କ୍ଲୋରୋଫିଲ ନାମକ ସାରାଂଶ ଶସ୍ୟକଣା ଭିତରେ ରହିଥବା ଅସଲ ଗୁଣବତ୍ତା ବା ଶକ୍ତି, ଯାହା କି ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସି ଭିଟାମିନ ବୃଦ୍ଧି ହୋଇଥାଏ। ଏହି ଅଙ୍କୁରିତ ଖାଦ୍ୟକୁ ଖାଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ବିଭିନ୍ନ ଦ୍ରବ୍ୟକୁ ରାନ୍ଧିଖାଇବା ଦ୍ୱାରା ଭିଟାମିନ ନଷ୍ଟ ହୋଇଥାଏ କିନ୍ତୁ ଅଙ୍କୁରିତ କରି ସକାଳ ଓ ଅପରାହ୍ନରେ ଜଳଖିଆ ରୂପେ କିମ୍ବା ‘ସଲାଡ଼’ କରି ଖାଇବା ଦ୍ୱାରା ଏଥିରେ ଥିବା ଭିଟାମିନ ସିଧା ଶରୀରକୁ ଯାଇଥାଏ। ପ୍ରତିଦିନ ଆମେ ଖାଉଥିବା ଖାଦ୍ୟରେ ‘ସୋଡିଅମ୍‌’ର ମାତ୍ରା ଅଧିକଥାଏ, ଯାହା କି ଉଚ୍ଚ ରକ୍ତଚାପକୁ ବୃଦ୍ଧି କରିଥାଏ କିନ୍ତୁ ଅଙ୍କୁରିତ ଖାଦ୍ୟ ରକ୍ତଚାପକୁ ସନ୍ତୁଳିତ ରଖି କୋଲେଷ୍ଟରଲ ମାତ୍ରାକୁ କମାଇ ରକ୍ତରେ ଶର୍କରା ମାତ୍ରାକୁ ଠିକ ରଖିଥାଏ । ଶରୀରର ରକ୍ତକୁ ପରିଷ୍କାର ରଖି ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖିଥାଏ ।
ତେଣୁ ଅଙ୍କୁରିତ ଖାଦ୍ୟକୁ ଏକ ‘ପୂର୍ଣ୍ଣଖାଦ୍ୟ’ କୁହାଯାଏ ।
ବୟସ ଅପେକ୍ଷା (ପିଲା କିମ୍ବା ବୃଦ୍ଧ) ଶରୀରରେ ଯାହାର ଯେତିକି ରୋଗପ୍ରତିରୋଧକ ଶକ୍ତି ରହିଥାଏ ସେହି ବ୍ୟକ୍ତିର ସେତିକି ରୋଗକୁ ପ୍ରତିରୋଧ କରିବା କ୍ଷମତା ରହିବା ସହ ସ୍ବାସ୍ଥ୍ୟକୁ ସୁରକ୍ଷା କରିପାରିଥାଏ ।
ଦୈନନ୍ଦିନ ଖାଦ୍ୟରେ ଆମେ ୪୦୦ ରୁ ୮୦୦ ଗ୍ରାମ ଫଳ ଓ ପନିପରିବା ଖାଇବା ଉଚିତ । ଅଙ୍କୁରିତ ଖାଦ୍ୟ ଓ ସନ୍ତୁଳିତ ଆହାର ଖାଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ବିଭିନ୍ନ ଭୂତାଣୁ ଓ ଜୀବାଣୁ ଜନିତ ତଥା ‘କୋଭିଡ୍‌-୧୯’ ଭଳି ଭୂତାଣୁକୁ ପ୍ରତିରୋଧ କରାଇପାରିବା ସହ ସୁସ୍ଥ ଏବଂ ଦୀର୍ଘାୟୁ ଜୀବନ ଯାପନ ଅତିବାହିତ କରିପାରିବା ।

ଡା. ବସନ୍ତ କୁମାର ଷଡଙ୍ଗୀ

-ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭