ସ୍ନେହ ଡୋରିରେ ବନ୍ଧା ବାଦୁଡ଼ି

ଖଇରା, ୧୪।୧୦(ଡି.ଏନ.ଏ.)-ଦିନେ ନୁହେଁ, ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୦ ବର୍ଷ ଧରି ଏକ ବାଦୁଡି ସ୍ନେହ ଡୋରିରେ ବାନ୍ଧି ହୋଇରହିଛି। ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ଓଷଙ୍ଗ ଗାଁର ଅମୂଲ୍ୟ ବେହେରା ଏହି ବାଦୁଡିକୁ ପରିବାରର ସଦସ୍ୟ ଭାବେ ଯତ୍ନ ନେଉଛନ୍ତି। ନିଜର ପିଲାଛୁଆଙ୍କ କଥା ବୁଝନ୍ତୁ କି ନ ବୁଝନ୍ତୁ ବାଦୁଡିର କେବେ ଅଭାବ ସେ ରଖିନାହାନ୍ତି ା ଏବେ ବାଦୁଡି ପ୍ରେମରେ ଏତେ ଅଭ୍ୟସ୍ତ ହୋଇଗଲେଣି ଯେ, ଦିନେ ନ ଦେଖିଲେ ତାଙ୍କୁ ଖାଇବା ପିଇବା ବିଷ ଭଳି ଲାଗେ ବୋଲି କୁହନ୍ତି ଅମୂଲ୍ୟ।
୧୦ବର୍ଷ ତଳେ ଏକ ଛୁଆବାଦୁଡି ଆହତ ଅବସ୍ଥାରେ ଆସି ଅମୂଲ୍ୟଙ୍କ ଘର ବାରଣ୍ଡାରେ ପଡିଥିଲା। ଏହା ଦେଖି ତାଙ୍କ ପରିବାର ଲୋକେ ପାଣି ଓ କ୍ଷୀର ପିଆଇ ବାଦୁଡିକୁ ସୁସ୍ଥ କରାଇଥିଲେ। ସେହିଦିନଠାରୁ ଉକ୍ତ ବାଦୁଡି ତାଙ୍କ ପରିବାରର ସଦସ୍ୟଙ୍କ ସ୍ନେହ ଡୋରିରେ ବାନ୍ଧି ହୋଇଛି। ବାଦୁଡିକୁ ପରିବାର ଲୋକେ ପ୍ରତିଦିନ ଖାଇବାକୁ ପିଜୁଳି, ନଡିଆ, କଦଳୀ, ଅଙ୍ଗୁରୁ, ସେଓ, ବୁଟ ଏବଂ ମୃଦୁ ପାନୀୟ ଭାବେ ଫ୍ରୁଟି ଓ ମାଜା ଦେଇଥାନ୍ତି। ସେ ଘର ଅଗଣା ଚାରି ପାଖରେ ବୁଲିବା ସହିତ କେବେ କେମିତି ବାହରକୁ ଗଲେ ମନ ଆନନ୍ଦରେ ବୁଲି ପୁଣି ଘରକୁ ଫେରିଆସେ ା ଅମୂଲ୍ୟ ଜଣେ ଚାଷୀ। ସେ ତାଙ୍କ ବାଡିରେ ପରିବା ଚାଷ କରିବା ସହିତ ସ୍ଥାନୀୟ ବଜାରରେ ଏକ ଛୋଟ ପରିବା ଦୋକାନ କରି ନିଜର ପରିବାର ଚଳାଇଥାନ୍ତି ା ବାଦୁଡି ପାଇଁ ପ୍ରତ୍ୟେକ ଦିନ ଶହେ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଫଳ ବଜାରରୁ କିଣିବା ସହ କ୍ଷୀର ପିଇବାକୁ ଦେଇଥାନ୍ତି। ତାଙ୍କର ଏଭଳି ବାଦୁଡି ପ୍ରୀତି ସମାଜ ପାଇଁ ଉଦାହରଣ ା ପିଲାବେଳୁ ଅମୂଲ୍ୟ କୁକୁର , ବିଲେଇ, ମୂଷା, ଠେକୁଆ, ଶୁଆ ପରି ବିଭିନ୍ନ ପଶୁପକ୍ଷୀଙ୍କୁ ଖାଦ୍ୟ ଦେଇ ସେମାନଙ୍କ ପ୍ରତି ଥିବା ଭଲ ପାଇବା ଜାହିର କରି ଆସୁଥିଲେ। ଏବେ ବାଦୁଡି ପ୍ରେମକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ା