Categories: ନୂଆପଡ଼ା

ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ ରାଜବାଟି ଭିତରେ ପଶି ଡାଇନିଂ ହଲରେ ବିଭିନ୍ନ ରାଜକୀୟ ଖାଦ୍ୟ ଖାଇଛି। ଖଡ଼ିଆଳ ରାଜା ସାହେବଙ୍କ ବାସଗୃହ ଛାତ ଉପରେ ବୁଲୁଥିବା ଭାଲୁ ଦେଖି ରାଜପରିବାର ଆତଙ୍କିତ ହୋଇପଡିଥିଲେ। ଭାଲୁ ଛାତ ଉପରେ ଥିବା ବେଳେ ରାଜା ଘର ଲୋକେ ଘର ଭିତରେ କବାଟ ବନ୍ଦ କରି ଲୁଚି ରହିଥିଲେ। ଭାଲୁ ଧରିବା ପାଇଁ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ନିରୀକ୍ଷଣ କରୁଥିଲେ। ଭାଲୁ ଧରିବା ପାଇଁ ରାଜବାଟି ପାଖକୁ ଯନ୍ତା ଅଣାଯାଇଥିଲା। ହେଲେ ଭାଲୁ ଧରାଛୁଆଁ ଦେଲାନାହିଁ। ଅନ୍ୟପଟେ ଭାଲୁର ଏଭଳି ଆତଙ୍କ ଦେଖି ଖଡ଼ିଆଳ ନଗରବାସୀ ଆତଙ୍କିତ ହୋଇ ପଡିଥିଲେ। ପରେ କଳାହାଣ୍ଡିରୁ ଗୋଟିଏ ଟିମ୍‌ ଆସି ଭାଲୁ ଘଉଡ଼ାଇ ଥିଲେ। ସୂଚନା ଅନୁସାରେ ବୁଧବାର ପ୍ରାତଃ ସମୟରେ ଭାଲୁ ଖଡ଼ିଆଳ ସହର ଭିତରେ ପଶି ଆତଙ୍କ ଖେଳାଇଥିଲା। ରାସ୍ତା କଡରେ ଭାଲୁ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇ ପଡିଥିଲେ। ଲୋକ ଗହଳିରେ ଭାଲୁ ଖଡ଼ିଆଳ ରାଜବାଟି ନିକଟସ୍ଥ ନିଲଜୀବନ୍ଦ ଓ ନୂଆବନ୍ଦ ପାଖ ବୁଦାରେ ଲୁଚିଥିଲା। ସାରେ ଭାଲୁ ଘଉଡ଼ାଇବା ବେଳେ ଜଙ୍ଗଲକୁ ଚାଲିଯିବା ବଦଳରେ ସିଧାସଳଖ ଖଡ଼ିଆଳ ରାଜା ସାହେବଙ୍କ ରାଜବାଟି ଭିତରକୁ ପଶିଥିଲା।