ଶାଳଗଛରେ ଭାଲୁ: ଆତଙ୍କରେ ଗ୍ରାମବାସୀ

ଉମରକୋଟ,୧୩ା୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ସୀ ପଞ୍ଚାୟତର ଜୁନାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ଶାଳଗଛରେ ଭାଲୁଟି ଚଢ଼ିଯାଇଛି। ଗଛଟି ବହୁତ ଉଚ୍ଚ ଥିବାରୁ ତଳକୁ ଆସି ପାରୁନାହିଁ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ସକାଳୁ ଗ୍ରାମର କିଛି ଲୋକ ମହୁଲ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିଲେ। ଭାଲୁଟିକୁ ଗଛରେ ଚଢ଼ିଥିବାର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ ବନବିଭାଗକୁ ଖବର ଦେବାରୁ ବନ ବିଭାଗର ୨୫ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ କିପରି ଉଦ୍ଧାର କରାଯାଇ ପାରିବ ଚେଷ୍ଟା ଜାରି ରଖିଛନ୍ତି।

 

ଅନ୍ୟପକ୍ଷରେ ବନ ବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ଭାଲୁଟି ଭୟଭୀତ ଅବସ୍ଥାରେ ରହିଛି। ଆମେ ପ୍ରଥମେ ସେହି ସ୍ଥାନରୁ ଲୋକଙ୍କୁ ଘଉଡ଼ାଇ ଖାଲି କରିଦେଇଛୁ, ଲୋକ ସେଠାରୁ ଯିବା ପରେ ଆଶା କରାଯାଉଛି ଭାଲୁ ଓହ୍ଲାଇ ଜଙ୍ଗଲ ମୁହାଁ ହେବ। ଯଦି ଭାଲୁ ରାତି ସୁଦ୍ଧା ନ ଓହ୍ଲାଏ ତେବେ ଆସନ୍ତାକାଲି ଡିଏଫ୍‌ଓଙ୍କ ଅନୁମତି ନେବା ପରେ ଟ୍ରାଙ୍କୁଲାଇଜର କରାଯାଇ ଭାଲୁକୁ ଉଦ୍ଧାର କରାଯିବ।