ଗାଁରେ ବୁଲୁଛି ଭାଲୁ: ଗ୍ରାମବାସୀ ଭୟଭୀତ

କୋକସରା,୨୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଅଧୀନ ଆମପାଣି ଫରେଷ୍ଟ ସେକ୍ସନ ପାତ୍ରବସା ଗାଁରେ ଏକ ଗୋଠ ଛଡା ଭାଲୁ କିଛି ଦିନ ହେଲା ବୁଲାବୁଲି କରୁଛି। ଏନେଇ ଗ୍ରାମବାସୀଙ୍କ ସହ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।

ଘଟଣାକୁ ନେଇ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀଶଙ୍କର କାଉରଙ୍କ ସହ ଆମପାଣି ବନ ବିଭାଗ ଏବଂ ବେହେରା ବନ କର୍ମଚାରୀ ଭାଲୁ ବିଚରଣ କରୁଥିବା ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରିକି ଭାଲୁ ଉପରେ ବନ କର୍ମଚାରୀ ନଜର ରଖିଛନ୍ତି।

ସୁରକ୍ଷାକୁ ଦୃଷ୍ଟିରେ ରଖି ବନ କର୍ମଚାରୀ ଜନସାଧାରଣଙ୍କୁ ସଚେତନ କରୁଛନ୍ତି। ଅନ୍ୟପକ୍ଷେ ଭାଲୁଟି କେତେ ବେଳେ ଗାଁକୁ ପଶି ଆସୁଛିତ କେତେବେଳେ ରାସ୍ତା ଉପରେ ବୁଲୁଛି। ଏପରିକି ଅଞ୍ଚଳରେ ମକା ଚାଷ ହୋଇଥିବାରୁ ମକା ବାଡ଼ିରେ ଭାଲୁ ପଶି ମକା ଖାଉଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ଛାତ୍ରୀଛାତ୍ରଙ୍କୁ ଅଭିଭାବକମାନେ ସ୍କୁଲ ଛାଡୁ ନାହାନ୍ତି।

ଏନେଇ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀଶଙ୍କରଙ୍କୁ ପଚରିବାରୁ ବନ ବିଭାଗ ପକ୍ଷରୁ ଭାଲୁର ଗତିପଥ ଉପରେ ନଜର ରଖାଯାଇଛି। ଭାଲୁ ଚଲାପଥରେ ଲୋକଙ୍କୁ ନ ଯିବାକୁ ବାରଣ କରାଯାଇଛି। ରାତିରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଭାଲୁ କିପରି ଜଙ୍ଗଲ ମୁହାଁ ହେବ ଏହା ଉପରେ ନଜର ରଖାଯାଇଥିବା ସେ କହିଛନ୍ତି।

Share