ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା ରାମଙ୍କ କଥା ଭାବି ଭାବି ଦୁଃଖରେ କାଳ କାଟୁଥିଲେ। ଅଶୋକ ବୃକ୍ଷ ସୀତାଙ୍କୁ ଛାଇ ଓ ମୁକ୍ତ ବାୟୁ ପ୍ରଦାନ କରି ସନ୍ତୋଷ ଲାଭ କରୁଥିଲା ଯେପରି। ତେଣୁ କାହିଁ କେତେ ଯୁଗରୁ ଅଶୋକ ବୃକ୍ଷର ଅବତାରଣା କରାଯାଇଛି। ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଅଶୋକ ବୃକ୍ଷର ଅନେକ ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାର ଫୁଲ ସୁନ୍ଦର ଓ ସୁଗନ୍ଧଯୁକ୍ତ। ସାରା ଭାରତରେ ଏହି ବୃକ୍ଷ ଦେଖାଯାଏ। ଓଡ଼ିଶାରେ ମଧ୍ୟ ପ୍ରାୟ ପ୍ରତ୍ୟେକ ଜିଲାରେ ଏହି ବୃକ୍ଷ ଦୃଷ୍ଟିଗୋଚର ହୁଏ। ଭାରତର ଜାତୀୟ ପୁଷ୍ପ ପଦ୍ମ ହୋଇଥିବାବେଳେ ଓଡ଼ିଶାର ରାଜ୍ୟ ପୁଷ୍ପ (ଷ୍ଟେଟ ଫ୍ଲାୱାର) ହେଉଛି ଅଶୋକ ଯାହା ଓଡ଼ିଶାର ଲୋକମାନେ ପ୍ରାୟ ଜାଣି ନଥିବେ। ଏହି ପୁଷ୍ପ ବୃକ୍ଷ ବିଷୟରେ କିଛି ଆଲୋଚନା କରିବା ପ୍ରାସଙ୍ଗିକ ମନେହୁଏ।
ଅଶୋକ ବୃକ୍ଷର ଇଂଲିଶ୍‌ ନାମ ଅଶୋକା ଓ ବୈଜ୍ଞାନିକ ନାମ ସାରାକା ଅଶୋକା ଓ ଏହା ସିଜାଲପିନିଆସି ବଂଶର ଅନ୍ତର୍ଭୁକ୍ତ। ଏହାକୁ ବଙ୍ଗାଳୀ, ହିନ୍ଦୀ ଓ ଗୁଜରାଟୀରେ ଅଶୋକା, ତାମିଲରେ ଅଶୋଗମ୍‌ ଓ ତେଲୁଗୁରେ ଅଶୋକ ଚେଟ୍ଟୁ କୁହାଯାଏ। ଏହି ବୃକ୍ଷର ନାମ ଅନୁସାରେ ମଧ୍ୟ ଲୋକଙ୍କ ନାମ ଅଶୋକ ଦିଆଯାଇଥାଏ। ଇତିହାସରୁ ମଧ୍ୟ ଆମେ ମଗଧର ରାଜା ଅଶୋକଙ୍କ ନାମ ଜାଣିଛେ। ଅଶୋକ ଅର୍ଥ ଶୋକ ନିବାରକ ବା ନାହିଁ ଶୋକ ଯାହାର। ପ୍ରକୃତରେ ଏହି ବୃକ୍ଷର ବହୁ ଔଷଧୀୟ ଗୁଣ ଯୋଗୁ ଏହା ଶୋକ ବା ଦୁଃଖ ନିବାରକ ଅଟେ। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାର ମହତ୍ତ୍ୱ ରହିଛି। ଗୃହର ବାସ୍ତୁଦୋଷ ନିବାରଣ ଯଥା ଗୃହର ଦୁର୍ଘଟଣାରୁ ସୁରକ୍ଷା ତଥା ସମସ୍ୟା ମୁକ୍ତ ପାଇଁ ଗୃହର ଉତ୍ତର ଦିଗରେ ଅଶୋକ ବୃକ୍ଷ ଲଗାଯାଇଥାଏ।
ଉଦ୍ଭିଦର ବର୍ଣ୍ଣନା: ଅଶୋକ ଏକ ଚିରହରିତ୍‌ ବୃକ୍ଷ ଅଟେ। ବୃକ୍ଷର ଉଚ୍ଚତା ପ୍ରାୟ ୨୦ ରୁ ୩୦ ଫୁଟ ଯାଏଁ ହୋଇଥାଏ। ଏହାର ପତ୍ରଗୁଡ଼ିକ ଯୌଗିକ ଓ ଉପପତ୍ରଗୁଡ଼ିକ ଲମ୍ବାଳିଆ। ଗାଢ଼ ସବୁଜ ପତ୍ର ସବୁ ବହୁତ ଘଞ୍ଚ ଅଟେ ଓ ଚିରହରିତ୍‌। ନୂତନ ପତ୍ର କଅଁଳିବା ସମୟରେ ଲାଲ ରଙ୍ଗର ହୋଇଥାଏ। ଏହାର ବହୁତ ଶାଖା ପ୍ରଶାଖା ଥାଏ। କାଣ୍ଡରୁ ଏକ ପ୍ରକାର ଅଠା ନିର୍ଗତ ହୋଇ ଶୁଖିଗଲା ପରେ ଗୋଲ ଗୋଲ ଆକାରରେ କାଣ୍ଡରେ ଲାଗି ରହିଥାଏ। ଏହି ବୃକ୍ଷର ଫୁଲ ଗାଢ଼ କମଳା ରଙ୍ଗର, ଯାହା ଫେବୃଆରୀରୁ ଏପ୍ରିଲ ମାସ ଯାଏ ଫୁଟିଥାଏ। ଫୁଲରୁ ପାଖୁଡ଼ାଗୁଡ଼ିକ ଝଡ଼ିବା ପୂର୍ବରୁ ଲାଲ ରଙ୍ଗ ହୋଇଯାଏ। ଫୁଲଗୁଡ଼ିକ ପେନ୍ଥା ପେନ୍ଥା ଆକାରରେ ଫୁଟି ବୃକ୍ଷର ଶୋଭାବର୍ଦ୍ଧନ କରିଥାଏ। ଫୁଲଗୁଡ଼ିକ କାହାଳୀ ଆକାରର ଓ ସୁଗନ୍ଧଯୁକ୍ତ। ଏହି ଫୁଲରୁ ବହୁ କଳାମଞ୍ଜି ଥିବା ଚେପଟା ଓ ଲମ୍ବା ଫଳ ହୋଇଥାଏ। କଷି ଫଳ ଈଷତ୍‌ ଲାଲ ଓ ପାକଳ ହେଲେ ସାଗୁଆ ହୋଇଥାଏ।
ଉତ୍ପତ୍ତି: ଅଶୋକ ବୃକ୍ଷ ଭାରତର ଦାକ୍ଷିଣାତ୍ୟ ମାଳଭୂମିର କେନ୍ଦ୍ର ଅଞ୍ଚଳ ତଥା ପଶ୍ଚିମଘାଟର ମଧ୍ୟବର୍ତ୍ତୀ ଅଞ୍ଚଳରେ ପ୍ରଥମ ଉତ୍ପତ୍ତି ହୋଇଥିବାର ଅନୁମାନ କରାଯାଏ। ଏହା ମଧ୍ୟ ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ଓ ପଶ୍ଚିମ ମ୍ୟାନମାରରେ ଦୃଷ୍ଟିଗୋଚର ହୁଏ। ଏହା ଓଡ଼ିଶା ଓ ଆସାମରେ ପ୍ରାକୃତିକ ଭାବରେ ବଢ଼ିଥାଏ। କେନ୍ଦ୍ର ଓ ପୂର୍ବ ହିମାଳୟର ପାଦଦେଶରେ ଥିବା ପର୍ବତମାଳା, ଉତ୍ତର ଭାରତର ସମତଳ ଅଞ୍ଚଳ ତଥା ମୁମ୍ବାଇ ନିକଟ ପଶ୍ଚିମ ଉପକୂଳରେ ଅଶୋକ ବୃକ୍ଷ ଦୃଷ୍ଟିଗୋଚର ହୁଏ। ଏହା ଏକ ବନ୍ୟ ବୃକ୍ଷ। କାଳକ୍ରମେ ଏହା ପ୍ରାକୃତିକ ପରିବେଶରୁ କମି କମି ଆସୁଛି। ବର୍ତ୍ତମାନ ଏହା ଏକ ଅସୁରକ୍ଷିତ ଜାତିର ଉଦ୍ଭିଦ ରୂପେ ପରିଗଣିତ ହେଉଛି।
ପୌରାଣିକ ପରମ୍ପରା: ଅଶୋକ ବୃକ୍ଷ ଭାରତୀୟ ଉପମହାଦେଶ ଯଥା- ଭାରତ, ନେପାଳ ଓ ଶ୍ରୀଲଙ୍କାରେ ଏକ ପବିତ୍ର ବୃକ୍ଷ ରୂପେ ପରିଗଣିତ ହୁଏ। ଏହି ଅଞ୍ଚଳରେ ଏହା ଧାର୍ମିକ ଓ ସାହିତି୍ୟକ ଭାବନା ସହ ଜଡ଼ିତ। ଏକ ସୁନ୍ଦର ବୃକ୍ଷ ତଥା ସୁନ୍ଦର, ସୁବାସିତ ଓ ପ୍ରଚୁର ଫୁଲ ଯୋଗୁ ଏହା ରାଜବାଟିକା, ବଗିଚା ଓ ଭାରତର ବିଭିନ୍ନ ହିନ୍ଦୁ ଓ ବୌଦ୍ଧ ମନ୍ଦିର ନିକଟରେ ବା ପରିସରରେ ଲଗାଯାଇଥାଏ। ଏହାର ଫୁଲ ହିନ୍ଦୁ ଦେବଦେବୀଙ୍କୁ ଅର୍ପଣ କରାଯାଏ। ଅଶୋକ ବୃକ୍ଷ ଓ ପୁଷ୍ପର ସଂସ୍କୃତରେ ଷୋଳଟି ଭିନ୍ନ ଭିନ୍ନ ନାମ ରହିଅଛି। କୁହାଯାଏ ଯେ ବୁଦ୍ଧ ରାଣୀ ମାୟାଙ୍କ ଗର୍ଭରୁ ଏକ ବାଟିକାରେ ଅଶୋକ ବୃକ୍ଷ ତଳେ ଜନ୍ମ ହୋଇଥିଲେ। ସେଥିପାଇଁ ବୁଦ୍ଧ ସ୍ତୂପ ଓ ଅନ୍ୟାନ୍ୟ କୀର୍ତ୍ତିରାଜିମାନଙ୍କରେ ଏହି ଫୁଲ ବ୍ୟବହୃତ ହୁଏ।
ନୟାଗଡ଼ ଜିଲାର ଓଡ଼ଗାଁଠାରେ ଅବସ୍ଥିତ ରଘୁନାଥ ମନ୍ଦିରରେ ବନବାସୀ ରାମ, ଲକ୍ଷ୍ମଣ ଓ ସୀତା ପୂଜା ପାଇ ଆସୁଛନ୍ତି। ଉକ୍ତ ମନ୍ଦିର ବେଢ଼ାର ଉତ୍ତର ପୂର୍ବ ଦିଗରେ ଗୋଟିଏ ଅଶୋକ ବୃକ୍ଷ ରହିଥିଲା। ଏହି ମନ୍ଦିରରେ ଦେବୀ ସୀତା ଅଧିଷ୍ଠିତା ଥିଲା ବେଳେ ଅଶୋକ ବୃକ୍ଷଟିଏ ମଧ୍ୟ ରହିଥିଲା। ସତେଯେପରି ଦେବୀ ସୀତାଙ୍କ ପାଇଁ ଅଶୋକ ବୃକ୍ଷ ପୁରାଣର ସ୍ମୃତି ବହନ କରିଥିଲା। କୌଣସି କାରଣରୁ ଏବେ ସେ ବୃକ୍ଷଟି ସେଠାରେ ନାହିଁ।
ଔଷଧୀୟ ଗୁଣ: ଅଶୋକ ବୃକ୍ଷର ଅନେକ ଔଷଧୀୟ ଗୁଣ ରହିଛି। ଏହାର ଛେଲି, ଫୁଲ ଓ କଢ଼ ଏଥିପାଇଁ ବ୍ୟବହାର କରାଯାଏ। ଏହାର ଛେଲି କଷା ଓ ଏହା ସ୍ତ୍ରୀ ରୋଗରେ ବିଶେଷତଃ ଋତୁଚକ୍ରର ନିୟମିତତା ପାଇଁ ବ୍ୟବହୃତ ହୁଏ। ଆୟୁର୍ବେଦରେ ଅଶୋକାରିଷ୍ଟର ପ୍ରସ୍ତୁତି ବିଷୟରେ ବର୍ଣ୍ଣନା କରାଯାଇଛି ଓ ଏଥିପାଇଁ ଏହି ଗଛର ଛେଲି ମୁଖ୍ୟତଃ ବ୍ୟବହୃତ ହୁଏ। ନାଳରକ୍ତ ଝାଡ଼ାରେ ଏହାର ଫୁଲକୁ ବାଟି ଖିଆଯାଏ। ଏହାର ଛେଲି ମଧ୍ୟ ପେଟରୋଗ, କୃମିଜନିତ ରୋଗ ଇତ୍ୟାଦିରେ ବ୍ୟବହୃତ ହୁଏ। ଏହାର ଛେଲିର ସିଝା ଜଳ ସହ ଶୀତଳ ଅବସ୍ଥାରେ ମହୁ ମିଶାଇ ସେବନ କଲେ ସ୍ତ୍ରୀ ଲୋକମାନଙ୍କର ପେଟ ଗୋଳମାଳ, ପ୍ରଦର ତଥା ଜରାୟୁ ରୋଗ ଉପଶମ ହୋଇଥାଏ। ଏହି ସିଝା ଶୀତଳ ଜଳ ସହ ମିଶ୍ରିଗୁଣ୍ଡ ଓ ମହୁ ମିଶାଇ ସେବନ କଲେ ପ୍ଳୀହା ରୋଗ, ଶୋଥ, ଜ୍ୱର ତଥା ବାୟୁଜନିତ ରୋଗରେ ଉପଶମ ମିଳିଥାଏ। ଏହି ବୃକ୍ଷର ମଞ୍ଜି ମଧ୍ୟ ଉତ୍ତମ ପରିସ୍ରା ପାଇଁ ବ୍ୟବହୃତ ହୁଏ। ଅଶୋକ ପତ୍ରର ଲେପ ବାଳମୂଳିଆ, ବଥ, ବ୍ରଣ, ବାଗୀ, କାଖଗୋଲି ଆଦି ଉପଶମ କରିଥାଏ।
ଏହିସବୁ ଦୃଷ୍ଟିରୁ ଅଶୋକ ବୃକ୍ଷର ବହୁ ଔଷଧୀୟ ଗୁଣ, ସୌନ୍ଦଯ୍ୟପୂର୍ଣ୍ଣ ଓ ସୁବାସିତ ପୁଷ୍ପ ତଥା ଧାର୍ମିକ ତତ୍ତ୍ୱକୁ ହୃଦୟଙ୍ଗମ କରି ଜନସାଧାରଣ ଏହାର ସୁବିନିଯୋଗ କରିବା ବାଞ୍ଛନୀୟ।

ପ୍ର. ଅରୁଣ ଚନ୍ଦ୍ର ସାହୁ
-ଅନ୍ବେଷଣ, ୫୨/୨,
ଭାଗବତ ସନ୍ଧାନ କଲୋନୀ
ଜି.ଜି.ପି., ଭୁବନେଶ୍ୱର-୨୫
ମୋ: ୮୨୪୯୦୭୯୦୮୪


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri