ଆସୁଛି ବଡ଼ ବାତ୍ୟା! ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ…

ଭୁବନେଶ୍ୱର,୧୬।୧୦: ପୁଣି ଡରାଇଲାଣି ଅକ୍ଟୋବର ମାସ। ଓଡିଶାକୁ ବାତ୍ୟା ଆଶଙ୍କା ଥିବା ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇନଥିଲେ ବି ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାକି ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଅବପାତରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓ ଉପକୂଳ ମୁହାଁଇପାରେ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ମାତ୍ର ଜିଏଫଏସ ମଡେଲରେ ବାତ୍ୟା ରୂପ ଏକ ପ୍ରକାର ସ୍ପଷ୍ଟ ଦେଖିବାକୁ ମିଳୁଛି । ଜିଏଫଏସ ମଡେଲ କହୁଛି ସମୁଦ୍ରରେ ଥିବାବେଳେ ଏହା ବାତ୍ୟା ରୂପ ନେଇପାରେ । ମାତ୍ର ଉପକୂଳ ଓ ଛୁଇଁଲାବେଳକୁ ଦୁର୍ବଳ ହୋଇଯିବ । ଏହା ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଏଫଏସ ମଡେଲ ଆକଳନ କରିଛି ।

ଦକ୍ଷିଣ ପଶ୍ଚିମ ବଙ୍ଗୋସାଗରରେ ସୃଷ୍ଟି ହୋଇଛି ଅବପାତ । ଘଣ୍ଟା ପ୍ରତି ୧୨ କିମି ବେଗରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ପୂର୍ବ, ଦକ୍ଷିଣ-ପୂର୍ବ ପୁଡୁଚେରୀ ଠାରୁ ୩୯୦ କିମି ଦୂରରେ ରହିଛି । ଆନ୍ଧ୍ରପ୍ରଦେଶଠାରୁ ୪୫୦ କିମି ଦୂରରେ ରହିଛି । ଏହା ସହ ଚେନ୍ନାଇ ଠାରୁ ପ୍ରାୟ ୩୬୦ କିଲୋମିଟର ଦୂରରେ ଅଛି । ଧୀରେ ଧୀରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୭ ତାରିଖରେ ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟରେ ପୁଡୁଚେରୀ ଓ ନେଲୋର ନିକଟରେ ଅବପାତ ଭାବେ ଅତିକ୍ରମ କରିପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।