Categories: ଜାତୀୟ

ପାର୍ଲାମେଣ୍ଟରେ ଆଗକୁ ବିଜେଡି ପାଇଁ ବଡ଼ ପରୀକ୍ଷା

ନୂଆଦିଲ୍ଲୀ,୩୧ା୭: ମଣିପୁର ପ୍ରସଙ୍ଗରେ ବିରୋଧୀ ପାର୍ଲାମେଣ୍ଟରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ତାହା ଉପରେ କେଉଁଦିନ ବିତର୍କ ହେବ ତାହା ସୋମବାର ସ୍ଥିର ହେବ। ସେହିପରି ଆସନ୍ତା ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର(ସଂଶୋଧନ) ବିଲ୍‌ ଉପରେ ଆଲୋଚନା ହେବ। ବିଜେଡି ଏହାର ସମଦୂରତ୍ୱ ଆଭିମୁଖ୍ୟକୁ ବଜାୟ ରଖିବାରେ କେତେ ସକ୍ଷମ, ତାହାର ବଡ଼ ପରୀକ୍ଷା ହେବାକୁ ଯାଉଛି। ଲୋକ ସଭାରେ ସରକାରଙ୍କ ସପକ୍ଷରେ ସଂଖ୍ୟା ରହିଥିବାରୁ ବିଲ୍‌କୁ ଗୃହୀତ କରାଇବାରେ କୌଣସି ଅସୁବିଧା ହେବ ନାହିଁ। ତେବେ ରାଜ୍ୟ ସଭାରେ ଏନ୍‌ଡିଏର ଆବଶ୍ୟକ ସଂଖ୍ୟା ନ ଥିବାରୁ ବିଲ୍‌ ଗୃହୀତ କରାଇବା କଷ୍ଟକର ହୋଇପଡ଼ିବ। ଉଚ୍ଚ ସଦନରେ ଭାଜପା ଓ ସହଯୋଗୀ ଦଳଙ୍କ ମୋଟ ସଦସ୍ୟ ସଂଖ୍ୟା ୧୦୨ ହୋଇଥିବାବେଳେ ଇଣ୍ଡିଆ ମେଣ୍ଟ ଏବଂ ବିଆର୍‌ଏସ୍‌ର ସଦସ୍ୟ ମିଶି ୧୦୪ ଅଛନ୍ତି। ୩ ବିରୋଧୀ ସଦସ୍ୟ ଅସୁସ୍ଥ ଥିବାବେଳେ ଏଏପିର ସଞ୍ଜୟ ସିଂ ନିଲମ୍ବିତ ହୋଇଛନ୍ତି। ତେଣୁ ବିଲ୍‌ ପାସ୍‌ କରାଇବା ପାଇଁ ସରକାର ଆଞ୍ଚଳିକ ଦଳ ବିଜେଡି ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସର ସହଯୋଗ ଚାହିଁବେ। ଏହି ଦଳ ବିଲ୍‌କୁ ସମର୍ଥନ ଜଣାନ୍ତୁ କିମ୍ବା କକ୍ଷତ୍ୟାଗ କରନ୍ତୁ ବୋଲି ସରକାର ଆଶା କରିବେ। ଏଥିରୁ ବିଜେଡିର ସମଦୂରତ୍ୱ ଆଭିମୁଖ୍ୟର ପରୀକ୍ଷା ହୋଇଯିବ।
ସେହିପରି ବିଜେଡି ପାଇଁ ଆଉ ଏକ ପରୀକ୍ଷା ହେଉଛି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ। ଗତ ୨୬ ତାରିଖରେ ବିରୋଧୀ ଦଳ ଲୋକ ସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାରୁ ନିୟମ ଅନୁଯାୟୀ ୧୦ ଦିନ ମଧ୍ୟରେ ଏହା ଉପରେ ଆଲୋଚନା ହେବ। ଯଦିଓ ସଂଖ୍ୟା ଦୃଷ୍ଟିରୁ ସରକାରଙ୍କ ପାଇଁ କୌଣସି ସମସ୍ୟା ନାହିଁ, ତେବେ ଅନାସ୍ଥା ସପକ୍ଷରେ କେତେ ସମର୍ଥନ ମିଳୁଛି ତାହା ଜଣାପଡ଼ିଯିବ। ୨୦୧୮ରେ ଆନ୍ଧ୍ରକୁ ସ୍ବତନ୍ତ୍ର ମାନ୍ୟତା ପ୍ରସଙ୍ଗରେ ମୋଦି ସରକାରଙ୍କ ବିରୋଧରେ ତେଲୁଗୁ ଦେଶମ ପାର୍ଟି ପ୍ରଥମ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଏହା ଓଡ଼ିଶା ପାଇଁ ପ୍ରାସଙ୍ଗିକ ନୁହେଁ କହି ବିଜେଡି କକ୍ଷତ୍ୟାଗ କରିଥିଲା। ଏଥର ମଣିପୁର ପ୍ରସଙ୍ଗରେ ଆଦିବାସୀଙ୍କ କଥା ଉଠୁଥିବାରୁ ବିଜେଡି କକ୍ଷତ୍ୟାଗ କରିବ କି ନାହିଁ ତାହା ଅନାସ୍ଥା ପ୍ରସ୍ତାବ ଭୋଟ ବେଳେ ଜଣାପଡ଼ିବ। ଆଲୋଚନା ଦିନ ଦଳ ଏ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ବିଜେଡିର ଜଣେ ବରିଷ୍ଠ ଏମ୍‌ପି କହିଛନ୍ତି।

 

Share