ଦିନକୁ ୪୩ କେଜିର ମାଇକ୍ରୋପ୍ଲାଷ୍ଟିକ ଗିଳୁଛନ୍ତି ବ୍ଲୁ ହ୍ବେଲ୍‌

ଓ୍ବାଶିଂଟନ୍‌, ୩।୧୧: ସମୁଦ୍ର ଜଳରେ ମାଇକ୍ରୋପ୍ଲାଷ୍ଟିକର ଉପସ୍ଥିତି କାରଣରୁ ସେଠାରେ ବାସ କରୁଥିବା ପ୍ରାଣୀଙ୍କ ଜୀବନ ଏବେ ବିପଦରେ ପଡ଼ିଯାଇଛି। ତେବେ ପୃଥିବୀର ସବୁଠାରୁ ବିଶାଳ ପ୍ରାଣୀ କୁହାଯାଉଥିବା ତିମିଙ୍କ ଜୀବନ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି ବୋଲି କାଲିଫର୍ନିଆ ଷ୍ଟେଟ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଷ୍ଟଡି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦୈନିକ ଏକାଧିକ ଟନ୍‌ ପରିମାଣର ଖାଦ୍ୟ ଗ୍ରହଣ କରୁଥିବା ବ୍ଲୁ ହ୍ବେଲ୍‌ ପ୍ରତ୍ୟେକ ଦିନ ୧୦ ନିୟୁତ ଓଜନର ମାଇକ୍ରୋପ୍ଲାଷ୍ଟିକ୍‌ ଖାଦ୍ୟ ସହ ଗିଳୁଛି, ଯାହାର ଆନୁମାନିକ ଓଜନ ୪୩.୫ କେଜି ବୋଲି ଆକଳନ କରାଯାଇଛି। ବ୍ଲୁ ହ୍ବେଲ୍‌କୁ ବାଦ୍‌ ଦେଲେ ସମୁଦ୍ରରେ ଫିନ୍‌ ଓ ହମ୍ପବର୍ଗ ଭଳି ଆଉ ଦୁଇ ବାଲିନ୍‌ ପ୍ରଜାତିର ତିମି ମଧ୍ୟ ବାସ କରୁଛନ୍ତି।

ବାଲିନ ତିମିମାନଙ୍କୁ ଫିଲ୍‌ଟର ଫିଡର ବୋଲି କୁହାଯାଏ। କାରଣ ଏହି ବିଶେଷ ପ୍ରଜାତିର ହ୍ବେଲ୍‌ ସମୁଦ୍ର ଜଳରୁ ଖାଦ୍ୟକୁ ଛାଣିକରି ଖାଇଥାନ୍ତି। ସେମାନଙ୍କ ପାଟିରେ ଥିବା ବାଲିନ ପ୍ଲେଟ୍‌ ଖାଦ୍ୟକୁ ଛାଣିବାରେ ସାହାଯ୍ୟ କରିଥାଏ। ସେହିପରି ଚିଙ୍ଗୁଡ଼ି ଖାଇବାକୁ ପସନ୍ଦ କରୁଥିବା ହମ୍ପବ୍ୟାକ୍‌ ହ୍ବେଲ୍‌ ପ୍ରତିଦିନ ୪ ନିୟୁତ ଓଜନର ମାଇକ୍ରୋପ୍ଲାଷ୍ଟିକ୍‌ ଗିଳୁଥିବା ରିପୋର୍ଟରେ କୁହାଯାଇଛି।

ଆମେରିକାର ପଶ୍ଚିମ ତଟରେ ଜଳ ପ୍ରଦୂଷଣର ମାତ୍ରା ବଢ଼ିବା କାରଣରୁ ବାଲିନ ତିମି ଖାଦ୍ୟ ସହିତ ମାଇକ୍ରୋପ୍ଲାଷ୍ଟିକ୍‌ ଗିଳୁଥିବା ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିର ମେରାଇନ୍‌ ବାୟୋଲୋଜିଷ୍ଟ ମାଥେଉ ସାଭୋକା ସୂଚନା ଦେଇଛନ୍ତି। ଷ୍ଟଡି ମୁତାବକ ତିମି ଗିଳୁଥିବା ମାଇକ୍ରୋପ୍ଲାଷ୍ଟିକ୍‌ର ୯୯ ଭାଗ ସେମାନଙ୍କ ଶିକାର ଜରିଆରୁ ଆସୁଛି। ସାଧାରଣ ଭାବେ ନୀଳ ତିମିର ଶରୀର ୧୦୦ ଫୁଟ୍‌ ଲମ୍ବା ହୋଇଥିବାବେଳେ ଫିନ୍‌ ହ୍ବେଲ ୮୦ ଫୁଟ ଏବଂ ହମ୍ପବ୍ୟାକ୍‌ର ଶରୀର ୫୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ।

ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ରିସର୍ଚ୍ଚରେ ୧୨୬ ବ୍ଲୁ ହ୍ବେଲ୍‌, ୬୫ ହମ୍ପବ୍ୟାକ୍‌ ଏବଂ ୨୯ଟି ଫିନ୍‌ ତିମିଙ୍କୁ ସାମିଲ କରାଯାଇଥିଲା। ତଥ୍ୟ ସଂଗ୍ରହ ପାଇଁ ସେମାନଙ୍କ ଦେହରେ ଏକ ଇଲେକ୍ଟ୍ରିକ୍‌ ଟ୍ୟାଗ୍‌ ଡିଭାଇସ୍‌ ଖଞ୍ଜା ଯାଇଥିଲା, ଯେଉଁଥିରେ କ୍ୟାମେରା, ମାଇକ୍ରୋଫୋନ୍‌, ଜିପିଏସ୍‌ଲୋକେଶନ୍‌ ସାଙ୍ଗକୁ ସେମାନଙ୍କ ଗତିବଧି ଉପରେ ନଜର ରଖିବା ପାଇଁ ଏକ ଉପକରଣ ରହିଛି। ୧୬୫-୮୨୦ଫୁଟ ତଳୁ ତିମି ନିଜ ଖାଦ୍ୟ ସଂଗ୍ରହ କରୁଥିବବେଳେ ସମୁଦ୍ର ପତନରେ ହିଁ ଅଧିକମାତ୍ରାରେ ମାଇକ୍ରୋପ୍ଲୋଷ୍ଟିକ୍‌ ରହିଥାଏ। ୫ ଏମ୍‌.ଏମ୍‌ ଆକାରର ମାଇକ୍ରୋପ୍ଲାଷ୍ଟିକ୍‌ ଭକ୍ଷଣ ଦ୍ୱାରା ତିମିର ପାଚନ କ୍ରିୟାରେ କେଉଁ ପ୍ରକାର ପରିବର୍ତ୍ତନ ଆସୁଛି, ସେ ନେଇ ବିଶେଷଜ୍ଞଙ୍କ ଅଧ୍ୟୟନ ଜାରି ରହିଛି। ଖାଦ୍ୟ ସହ ଗିଳୁଥିବା ପ୍ଲାଷ୍ଟିକ୍‌ କଣିକାରୁ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ବାହାରିବା କାରଣରୁ ତିମିଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କାଲିଫର୍ନିଆ ଷ୍ଟେଟ୍‌ ୟୁନିଭର୍ସିଟି ମେରାଇନ୍‌ ବାୟୋଲୋଜିଷ୍ଟ ଶିରେଲ କାହାନେ କହିଛନ୍ତି।

Share