ଭୋକିଲା ଶୋଉଥିବା ବାଳକ ଆମେରିକାରେ ବୈଜ୍ଞାନିକ

ନାଗପୁର,୧୪।୧୧ : ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲାର ଏକ ନିପଟ ମଫସଲ ଗ୍ରାମରେ ଏକଦା ଦିନକୁ ବେଳାଏ ଖାଇବା ଯୋଗାଡ଼ କରିବା ନିମନ୍ତେ ସଂଘର୍ଷ କରୁଥିବା ବାଳକ ଏବେ ଆମେରିକାରେ ଜଣେ ବରିଷ୍ଠ ବୈଜ୍ଞାନିକ। ଜଣେ ନିଜର କଠିନ ପରିଶ୍ରମ ଏବଂ ଦୃଢ଼ ସଂକଳ୍ପ ଦ୍ୱାରା ଯେ ଶ୍ରେଷ୍ଠତ୍ୱ ହାସଲ କରିପାରେ ଭାସ୍କର ହାଲ୍‌ମିଙ୍କ ଜୀବନୀ ଏହାର ଏକ ଜ୍ୱଳନ୍ତ ଉଦାହରଣ।

ଗଡ଼ଚିରୋଲିର କୁରଖେଡ଼ା ତହସିଲ ଅନ୍ତର୍ଗତ ଚିର୍‌ଚାଡ଼ି ଗ୍ରାମରେ ଏକ ଆଦିବାସୀ ପରିବାରରେ ବଡ଼ ହୋଇଥିବା ହାଲମି ଆମେରିକାର ମେରିଲାଣ୍ଡସ୍ଥିତ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ସିର୍ନାଓମିକ୍ସର ଗବେଷଣା ଓ ବିକାଶ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ଉକ୍ତ କମ୍ପାନୀ ଜେନେରିକ୍‌ ମେଡିସିନ୍‌ ଉପରେ ଗବେଷଣା ଚଳାଇଥିବାବେଳେ ହାଲ୍‌ମି ଆର୍‌ଏନ୍‌ଏ ଉତ୍ପାଦନ ଓ ସିନ୍‌ଥେସିସ୍‌ ଉପରେ କାର୍ଯ୍ୟ କରୁଛନ୍ତି। ସେ ଚିର୍‌ଚାଡ଼ି ଗ୍ରାମର ପ୍ରଥମ ବିଜ୍ଞାନ ସ୍ନାତକ, ଯିଏ ବିଜ୍ଞାନରେ ପିଏଚ୍‌ଡି କରିଛନ୍ତି।

ହାଲ୍‌ମି ତାଙ୍କ ପିଲାଦିନକୁ ମନେପକାଇ କହିଛନ୍ତି, ସେତେବେଳେ ପରିବାରର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା। ଦିନକୁ ଗୋଟିଏ ବେଳା ଖାଇବା ଯୋଗାଡ଼ କରିବାକୁ ସଂଘର୍ଷ କରିବାକୁ ପଡ଼ୁଥିଲା। ବର୍ଷାଋତୁରେ ଘରେ ଖାଇବାକୁ ନ ଥିଲା କି ହାତରେ କାମ ନ ଥିଲା। ସେମାନେ ମହୁଆ ଫୁଲ, ଜଙ୍ଗଲୀ ଚାଉଳ ରାନ୍ଧି ଖାଉଥିଲେ। କେବଳ ତାଙ୍କ ପରିବାର ନୁହେଁ ଗାଁର ୯୦ ପ୍ରତିଶତ ଲୋକଙ୍କର ଅବସ୍ଥା ଏହିଭଳି ଥିଲା। ଜମିରୁ ଯଥେଷ୍ଟ ଅମଳ ହେଉ ନ ଥିବାରୁ ହାଲ୍‌ମିଙ୍କ ମାଆବାପା ପରଘରେ ପାଇଟି କରି ପରିବାର ଚଳାଉଥିଲେ। କିଛିବର୍ଷ ପରେ ତାଙ୍କ ବାପା ୧୦୦ କିଲୋମିଟର ଦୂରରେ ଖୋଲିଥିବା ଏକ ସ୍କୁଲ୍‌ରେ ରୋଷେୟା ଚାକିରି ପାଇବାରୁ ସେମାନଙ୍କ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଥିଲା।

Share