ସରକାରୀ ଜମିରେ ଚାଲିଛି ଇଟା କାରଖାନା

ଜେନାପୁର,୩ା୭(ଅଶୋକ ଦାସ): ଧର୍ମଶାଳା ତହସିଲ ଅଧୀନ ପୁରୁଣା ବୋଉଳମାଳ ପଞ୍ଚାୟତର ସୁକୁଟିଝର ମୌଜାରେ ଥିବା ସରକାରୀ ଜମିରେ ବେଆଇନ ଭାବେ ଚାଲୁଛି ୨ ଇଟା କାରଖାନା। କାରଖାନା ହୋଇଥିବା ସ୍ଥାନ ଜଙ୍ଗଲ ଜମି, ଦାଣ୍ଡି, ସର୍ବସାଧାରଣ ଜାଗା ବୋଲି ସରକାରୀ ରେକର୍ଡରେ ଉଲ୍ଲେଖ ରହିଛି। ଗୋଟିଏ କାରଖାନା ଖାତା ନମ୍ବର ୩୦୫ ଓ ପ୍ଲଟ ନମ୍ବର ୪୪ରେ ରହିଛି। ସେହିପରି ଖାତା ନମ୍ବର ୩୦୫ ଓ ପ୍ଲଟ୍‌ ନମ୍ବର ୪୨ ଜଙ୍ଗଲ କିସମ ହୋଇଥିବାବେଳେ ଏହି ପ୍ଲଟରେ ଜଣେ ବ୍ୟକ୍ତି ଇଟା କାରଖାନା କରିଛନ୍ତି ବୋଲି ଅଭିଯୋଗ ହୋଇଛି।
ଏସବୁ ଦୀର୍ଘଦିନ ହେବ ଚାଲୁଥିବାବେଳେ ତହସିଲ ପ୍ରଶାସନର କୋହଳ ମନୋଭାବ କାହିଁକି ବୋଲି ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଧଡ଼କ ଭାବେ ୫୩ ନମ୍ବର ଜାତୀୟ ରାଜପଥର କୋଡ଼ିଏ ମିଟର ଦୂରତାରେ ଏହି କାରଖାନା ଚାଲିଛି। କାରଖାନାରେ ନିୟୋଜିତ ଶ୍ରମିକମାନେ ବିନା ପଞ୍ଜୀକରଣରେ କାମ କରୁଥିବା ଜଣାପଡ଼ିଛି। କାରଖାନାରୁ ନିର୍ଗତ ଧୂଆଁ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ସରକାରୀ ଜାଗାରେ କାରଖାନା କରିବାକୁ କିଭଳି ଅନୁମତି ମିଳିଛି ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ପ୍ରଶାସନ ସରକାରୀ ଜମିର ରକ୍ଷଣାବେକ୍ଷଣ ନ କରିବ ତେବେ, ଆଗାମୀ ଦିନରେ ଜଙ୍ଗଲ କିସମ ଜାଗା, ସର୍ବସାଧାରଣ ଜାଗାକୁ ମାଫିଆ ନିଜ ଅକ୍ତିଆରକୁ ନେଇଯିବେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ତେଣୁ ତହସିଲ ପ୍ରଶାସନ ଏ ଦିଗରେ ସଜାଗ ହେବାକୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ତହସିଲଦାର ସ୍ବାଗତ ଦାସଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।