ନେହେରୁ, ମାଉଣ୍ଟବେଟେନ୍‌ଙ୍କ ଡାଏରୀ ପ୍ରକାଶନ ଉପରେ ରୋକ

ଲଣ୍ଡନ, ୧।୫: ଭାରତର ଶେଷ ଭାଇସ୍‌ରଏ ଲର୍ଡ ମାଉଣ୍ଟବ୍ୟାଟେନ, ସ୍ତ୍ରୀ ଏଡ୍‌ଓ୍ବିନା ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବ୍ୟକ୍ତିଗତ ଡାଏରୀ ଓ ଚିଠିକୁ ସର୍ବସାଧାରଣରେ ପ୍ରକାଶ ଉପରେ ବ୍ରିଟେନ୍‌ର ଏକ ଟ୍ରିବ୍ୟୁନାଲ କୋର୍ଟ ରୋକ ଲଗାଇଛନ୍ତି। ବ୍ରିଟେନ୍‌ର ସାଉଥହାମ୍ପଟନ୍‌ ୟୁନିଭର୍ସିଟି ନିକଟରେ ନେହେରୁ-ଏଡ୍‌ଓ୍ବିନାଙ୍କ ଚିଠି ଥିଲେ ମଧ୍ୟ ଏହା ଉପରେ ମାଲିକାନା ଜାହିର କରିପାରିବ ନାହିଁ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ୧୯୩୦ ଦଶକରୁ ଡାଏରୀ ଏବଂ ଚିଠିର କିଛି ଅଂଶ ଏଡିଟ୍‌ କରାଯାଇଥିବାବେଳେ ଏହାର ପ୍ରକାଶନକୁ ନେଇ ବ୍ରିଟେନର ପ୍ରଥମ ଟାୟର (ସୂଚନା ଅଧିକାର) ଆବେଦନ ଉପରେ ଜଷ୍ଟିସ୍‌ ସୋଫି ବକଲେ ଅଧ୍ୟକ୍ଷତା କରି ଏହି ରାୟ ଦେଇଛନ୍ତି। ଲେଡି ମାଉଣ୍ଟବେଟେନ୍‌ ଏବଂ ନେହେରୁଙ୍କ ମଧ୍ୟରେ ଅଦଳବଦଳ ହୋଇଥିବା ଚିଠିକୁ ବ୍ରିଟିଶ ଲେଖକଙ୍କୁ ଦେବାକୁ ଟ୍ରିବ୍ୟୁନାଲ ମନା କରି ଦେଇଛନ୍ତି।

ବ୍ରିଟିଶ ଲେଖକ ଆଣ୍ଡ୍ରିୟୁ ଲାଉନି ବ୍ରିଟିଶ କୋର୍ଟରୁ ଲର୍ଡ ମାଉଣ୍ଟବ୍ୟାଟେନ୍‌ ଏବଂ ଲେଡି ମାଉଣ୍ଟବ୍ୟାଟେନ୍‌ଙ୍କ ବ୍ୟକ୍ତିଗତ ଡାଏରୀ ସହ ଏଡୱିନା ଏବଂ ଜବାହରଲାଲ ନେହେରୁଙ୍କ ମଧ୍ୟରେ ଲେଖାଯାଇଥିବା ଚିଠିଗୁଡ଼ିକୁ ରିଲିଜ କରିବା ନିମନ୍ତେ ଅଦାଲତରେ ନିବେଦନ କରିଥିଲେ। ଏହି କାଗଜପତ୍ରରେ ଭାରତ ବିଭାଜନବେଳର ତଥ୍ୟ ସମେତ ବ୍ରିଟିଶ-ଭାରତ ଇତିହାସର ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି।

ସାଉଥହାମ୍ପଟନ୍‌ ୟୁନିଭର୍ସିଟି ୨.୮ ନିୟୁତ ପାଉଣ୍ଡ ପବ୍ଲିକ୍‌ ଫଣ୍ଡ ଦ୍ୱାରା ବ୍ରଡ୍‌ଲ୍ୟାଣ୍ଡ ଆର୍କାଇଭ୍‌କୁ ମାଉଣ୍ଟବ୍ୟାଟେନ୍‌ଙ୍କ ପରିବାରଠାରୁ କିଣିଥିଲା। ଏହି ଦସ୍ତାବିଜ୍‌ଗୁଡ଼ିକୁ ସର୍ବସାଧାରଣରେ ପ୍ରକଶ କରିବା ୟନିଭର୍ସିଟିର ଉଦ୍ଦେଶ୍ୟ ଥିଲା। ପରେ କ୍ୟାବିନେଟ୍‌ ଅଫିସ୍‌ ଅଧିକାରୀଙ୍କୁ ତାହା ହସ୍ତାନ୍ତର କରିଥିଲା। ୨୦୧୯ରେ ଇନ୍‌ଫର୍ମେଶନ କମିଶନର ଅଫିସ୍‌ (ଆଇସିଓ) ଲୁଇନ୍‌ଙ୍କ ସପକ୍ଷରେ ଯାଇ ବ୍ରଡଲ୍ୟାଣ୍ଡ ଆର୍କାଇଭ୍‌ର ରିଲିଜ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ପ୍ରଥମ ଟାୟର ଟ୍ରିବ୍ୟୁନାଲରେ ଚ୍ୟାଲେଞ୍ଜ କରାଯାଇଥିଲା।

Share