Categories: ଜାତୀୟ

ମୋଦିଙ୍କ ଆନିମେଶନ୍‌ ଫିଲ୍ମରେ ଭାରତର ଖଣ୍ଡିତ ମାନଚିତ୍ର

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ତିଆରି କରାଯାଇଥିବା ଆନିମେଶନ୍‌ ଫିଲ୍ମ ପାଇଁ ଭାଜପା ଅଡ଼ୁଆରେ ପଡ଼ିଯାଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଅପ୍‌ଲୋଡ୍‌ କରାଯାଇଥିଲା। ଉକ୍ତ ଭିଡିଓରେ ଭାରତର ଖଣ୍ଡିତ ମାନଚିତ୍ରକୁ ଦେଖାଯିଇଥିଲା, ଯେଉଁଥିରେ ଲଦାଖ, ଜମ୍ମୁ-କଶ୍ମୀର ନ ଥିଲା। ତ୍ରୁଟି ଜାଣିପାରି ବିଳମ୍ବିତ ରାତିରେ ଭାଜପା ଆଇଟି ମୁଖ୍ୟ ଅମିତ ମାଲବ୍ୟ ଏବଂ ଅନ୍ୟମାନେ ଶେୟାର କରିଥିବା ଭିଡିଓକୁ ଡିଲିଟ୍‌ କରିଥିଲେ। ଆନିମେଶନ୍‌ ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ବିଶ୍ୱଗୁରୁ’ ଭାବେ ଦର୍ଶାଯାଇଛି। ଖଣ୍ଡିତ ଭାରତ ମାନଚିତ୍ର ଲାଗି ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଶଭକ୍ତିର ପ୍ରମାଣପତ୍ର ବାଣ୍ଟୁଥିବା ଭାଜପା ପ୍ରକୃତରେ ଦେଶଦ୍ରୋହୀ ବୋଲି କଂଗ୍ରେସ୍‌ ସୋସିଆଲ ମିଡିଆ ମୁଖ୍ୟ ସୁପ୍ରିୟା ଶ୍ରୀନାଟେ କହିଛନ୍ତି। ଏହା କୌଣସି ତ୍ରୁଟି ନୁହେଁ। ଭାଜପା ପ୍ରକୃତରେ ଭାରତର ମାନଚିତ୍ରରୁ ଲଦାଖ, ଜମ୍ମୁ-କଶ୍ମୀରକୁ ହଟାଇବାକୁ ଚାହୁଁଥିବା ସେ ଭାଜପାକୁ କଡ଼ା ନିନ୍ଦା କରି କହିଛନ୍ତି।

Share