ଗାଁ ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଜୀବିତ

ଖଲ୍ଲିକୋଟ,୨୫।୭(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଁ ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ଗାଧୋଉଥିବା ସମୟରେ ପୋଖରୀ ରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛି ।

ସୂଚନା ଅନୁଯାୟୀ ମରେଇନୂଆଁ ଗାଁ ର ରାଜେନ୍ଦ୍ର ଶବରଙ୍କ ୬ ବର୍ଷର ପୁଅ ସୁଦିପ ଶବର ଓ ୩ ବର୍ଷର ଝିଅ ରୋଷନି ଶବର ଏବଂ ସେହି ଗ୍ରାମର ଆଉ ଜଣେ ୨ ବର୍ଷ ର ଶିଶୁ କନ୍ୟା ମିଶି ଆଜି ସକାଳ ୮ ଟା ସମୟରେ ଗାଁ ପୋଖରୀକୁ ଯାଇଥିଲେ । ସେଠାରେ ଅସାବଧାନତା ବଶତଃ ଉକ୍ତ ତିନିଜଣ ଶିଶୁ ପାଣି ଭିତରେ ବୁଡ଼ି ଯାଇଥିଲେ। ତେବେ ଜଣେ ଶିଶୁ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ ।

ତେବେ ସେ ମେଡ଼ିକାଲରେ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟପଟେ ରାଜେନ୍ଦ୍ର ଶବର ତାଙ୍କର ଦୁଇ ଶିଶୁ ଘରକୁ ନ ଫେରିବା ଦେଖି ଦିନ ୧୧ ଟା ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ପୋଖରୀରେ ଖୋଜିବା ପରେ ପାଣି ଭିତରୁ ଗୁରୁତର ଅବସ୍ଥାରେ ଭାଇ ଭଉଣୀ ଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଥିଲେ । ତେବେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ୍ୟୁ ଖବର ଶୁଣି ମେଡ଼ିକାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ମେଡ଼ିକାଲରେ ପହଞ୍ଚି ଦୁଇ ଶବକୁ ଜବତ କରି ୟୁଡି କେସ ନମ୍ବର ୧୬/୨୦୨୪ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Share