କେନ୍ଦ୍ରାପଡ଼ା,୮ା୧୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମଧ୍ୟରେ ପ୍ରବାହିତ ଲୁଣା ନଦୀର ଜଳସ୍ତର କମିବାରେ ଲାଗିଛି। କଳପଡ଼ାସ୍ଥିତ ଇନ୍ଟେକ ଫିଡର ନିକଟରେ ନଭେମ୍ବରଠାରୁ ଜଳସ୍ତର ନାହିଁ। ଏଥିପାଇଁ ଲୁଣା ନଦୀ ଗର୍ଭରେ ୭୦୦ ମିଟର ଲମ୍ବ, ୨୫ ଫୁଟ ଚଉଡ଼ା ଓ ୧୦ ଫୁଟ ଗଭୀରରେ ଏକ କେନାଲ ଖୋଳାଯାଉଛି। ଏଥିରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ପିଇବା ପାଣି ସମସ୍ୟାର ସମାଧାନ ହେବ ବୋଲି ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ ଆଶା ରଖିଛନ୍ତି। ଅପରପକ୍ଷରେ ଲୁଣା ନଦୀର ଜଳସ୍ତର ଦ୍ରୁତଗତିରେ ହ୍ରାସ ହେଉଛି। ଫଳରେ ପାନୀୟ ଜଳ ସମସ୍ୟା ସହିତ ଅବବାହିକାରେ ଥିବା ଚାଷଜମି ପଡ଼ିଆ ପଡ଼ିବା ଆଶଙ୍କା ଦେଖାଦେଇଛି। ସେହିପରି ଲୁଣା ନଦୀରୁ ବେଆଇନ ଭାବେ ବାଲି ଉଠା ଯାଉଥିବାରୁ ନଦୀପଥର ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି। ଜିଲାରେ ପ୍ରବାହିତ ନଦୀଗୁଡ଼ିକର ସଂଯୋଗୀକରଣ ପରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
କେନ୍ଦ୍ରାପଡ଼ା ସହରସ୍ଥ ଖଡ଼ଇଙ୍ଗର କ୍ଷିତୀଶ କୁମାର ସିଂହ କହିଛନ୍ତି, ସହରକୁ ପାଣି ଯୋଗାଣ ପାଇଁ ପିଏଚଡି ଓ ଜଳ ସମ୍ପଦ ବିଭାଗର ସମନ୍ବୟରେ ଲୁଣା ନଦୀର କଳପଡ଼ାଠାରୁ ପାଣି ଉଠାଯାଉଛି। ତେବେ ଅକ୍ଟୋବରରୁ ନଦୀର ପମ୍ପ ହାଉସ ପାଖ ଶୁଖିଲା ପଡ଼ିଛି। ଏଥିପାଇଁ ପ୍ରଥମେ ଏକ ୧୫୦ ମିଟରର ନାଳି ଖୋଳା ଯାଇ ପମ୍ପ ହାଉସ ନିକଟକୁ ପାଣି ଅଣା ଯାଉଥିଲା। ଏହି ନାଳି ଏବେ ଶୁଖିଲା ଅବସ୍ଥାକୁ ଆସିଛି। ଏପରିସ୍ଥିତି ରହିଲେ ଖରାଦିନେ ସହରକୁ ଜଳ ଯୋଗାଣ ବନ୍ଦ ହୋଇଯିବ। ବୁଦ୍ଧିଜୀବୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପଡ଼ାଗୟାସପୁର, ଗୟାସପୁର, ଥାଉରୀ, ଚଢ଼େଇଗୁଆଁ, ରାଜଗଡ଼, ଅଙ୍ଗୁଳାଇ ଆଦି ସ୍ଥାନରେ ଲୁଣାନଦୀର ଚେକଡ୍ୟାମ ହୋଇଛି। ପାନୀୟ ଜଳ ଯୋଗାଣ ସହ ଚାଷ କାର୍ଯ୍ୟ ପାଇଁ ଜଳ ଯୋଗାଣ ହେବା କଥା। ତେବେ ଶୀତଦିନରେ ଲୁଣା ନଦୀ ଜଳସ୍ତର ହ୍ରାସ ପାଇଥିବାରୁ ପ୍ରାୟ ୧୦ ହଜାର ହେକ୍ଟର ଜମି ପଡ଼ିଆ ପଡ଼ିବ ବୋଲି ଆକଳନ କରାଯାଉଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଲୁଣା ନଦୀ କେନ୍ଦ୍ରାପଡ଼ା ମଧ୍ୟ ଦେଇ ପ୍ରବାହିତ ହେଉଛି। ନଦୀର ଲମ୍ବ ୭୩ କିଲୋମିଟର ହୋଇଥିବା ବେଳେ ବ୍ରିଟିଶ ଶାସନ ସମୟରେ ଏହି ବାଟ ଦେଇ ନୌବାଣିଜ୍ୟ ହେଉଥିଲା। ତେବେ ଏହାର ରକ୍ଷଣାବେକ୍ଷଣ ଅଭାବ, ବେଆଇନ ବାଲି ଓ ମାଟି ଉଠାଣ, ଜବରଦଖଲ ହେତୁ ଏବେ ନଦୀର ଗତିପଥ ପରିବର୍ତ୍ତନ ହୋଇଛି। ଏହି ଜିଲାର ଅଧିବାସୀ ଚାଷ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ୧୫,୮୫୦ ହେକ୍ଟର ଚାଷ ଜମିରେ ଉଦ୍ବୃତ୍ତ ଜଳର ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ଜିଲାର ୩୨,୩୫୦ ହେକ୍ଟର ଚାଷଜମି ଲୁଣା। ଏଥିସହ ବର୍ଷାଦିନେ ୩୪,୯୫୨ ହେକ୍ଟର ଜମିରେ ବନ୍ୟା ଜଳ ମାଡ଼ିଯାଉଛି। ଜିଲାର ୮୪,୯୧୦ ହେକ୍ଟର ଜମିକୁ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଇଛି। ନଦୀ ଓ ମୁଖ୍ୟ କେନାଲଗୁଡ଼ିକର ଜଳ ପରିଚାଳନା ପାଇଁ ଜିଲା ପରିଷଦରେ ବାରମ୍ବାର ଦାବି ସତ୍ତ୍ୱେ କୌଣସି ସୁଫଳ ମିଳିଲା ନାହିଁ। ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଲୁଣା ନଦୀର ଜଳସେଚନ ଫଳରେ ଜିଲାରେ ଧାନ ସହ ରବି ଫସଲ ଓ ନଳିତା, ବାଦାମ ଆଖୁ ପରି ଅର୍ଥକରୀ ଫସଲ, ପନିପରିବା ଚାଷ ହେଉଥିଲା। ତେବେ କିଛିବର୍ଷ ଧରି ଏହି ନଦୀର ଜଳସ୍ତର କମିବାରେ ଲାଗିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବନ୍ଧ ନିର୍ମାଣ ଫଳରେ ଏପରି ସ୍ଥିତି ଉପୁଜିଛି। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାରେ ୭ ନଦୀ ପ୍ରବାହିତ ହେଉଛି। ଏହି ନଦୀଗୁଡିକୁ ସଂଯୋଗୀକରଣ କରାଯାଇ ବିଭିନ୍ନ ସ୍ଥାନରେ ବ୍ୟାରେଜ ନିର୍ମାଣ କରାଗଲେ ଜିଲାର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରନ୍ତା। ଏ ନେଇ ପ୍ରଶାସକ ଓ ସ୍ଥାନୀୟ ରାଜନେତା କୌଣସି ପଦକ୍ଷେପ ନେଉନାହାନ୍ତି। ଆଗାମୀଦିନରେ ଚାଷ ସହ ପାନୀୟ ଜଳ ଜିଲା ପାଇଁ ସମସ୍ୟା ସୃଷ୍ଟି କରିବ। ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଲୁଣା ନଦୀର ଉନ୍ନତୀକରଣ ପାଇଁ ବିଭିନ୍ନ ଯୋଜନା ଚାଲୁ ରହିଛି। ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଆର୍ଥିକ ଅନୁଦାନ ଆସିଛି। ଖୁବ୍ଶୀଘ୍ର ଜିଲାବାସୀ ଏହାର ସୁଫଳ ପାଇବେ ବୋଲି ସେ କହିଛନ୍ତି।