ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବିରୋଧରେ ଏତଲା

କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଷିପୁରା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ବିରୋଧରେ ଶନିବାର ଟାଉନ ଥାନାରେ ଭିନ୍ନସକ୍ଷମ ସାଥୀଭରସା ସଂଘ ପକ୍ଷରୁ ଲିଖିତ ଏତଲା କରାଯାଇଛି। ଦିବ୍ୟାଙ୍ଗମାନଙ୍କୁ କଟୁ ଭାଷା ପ୍ରୟୋଗ ସହ ବିଧାୟକ ଥଟ୍ଟା ପରିହାସ କରିଥିବା ନେଇ ଏଭଳି ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ବଦ୍ରିନାରାୟଣ ଗଣମାଧ୍ୟମ ସମ୍ମୁଖରେ ଦିବ୍ୟାଙ୍ଗମାନଙ୍କୁ ଥଟ୍ଟା ପରିହାସ କରିବା ଏପରିକି ଛୋଟା, କେମ୍ପା ଶବ୍ଦ ପ୍ରୟୋଗ କରିଥିବା ଏତଲାରେ ଦର୍ଶାଇଯାଇଛି। ଜଣେ ବିଧାୟକ ହୋଇ ଏଭଳି ପରିହାସ କିପରି କଲେ ଏବଂ ତାଙ୍କଠାରୁ ଅନ୍ୟମାନେ ଶିଖି ପରିହାସ କରିବେ। ତାହା ଅତ୍ୟନ୍ତ କଷ୍ଟଦାୟକ ବୋଲି ଅଭିଯୋଗକାରୀ ଦିବ୍ୟାଙ୍ଗ ସଂଘ, କେନ୍ଦୁଝରର ସାଧାରଣ ସଂପାଦକ ଅଭୟ କୁମାର ଜେନା କହିଛନ୍ତି। ଏଭଳି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିବା ସହ ଏନେଇ ଭିନ୍ନକ୍ଷମ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାରୁ ଏନେଇ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ନିବେଦନ କରିଛନ୍ତି। ନଚେତ ସେମାନଙ୍କ ସଂଘର ଡାକରାରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସେମାନେ ଚେତାବନୀ ଦେଇଛନ୍ତି। ଏନେଇ ଟାଉନ ଥାନା ଅଧିକାରୀ ସୁନିଲ କର କହିଛନ୍ତି, ଅଭିଯୋଗ ମିଳିଛି। ତଦନ୍ତ ପରେ ପଦକ୍ଷେପ ନିଆଯିବ।

Share