୧୭ ଅପରାଧ ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା

କଟକ ଅଫିସ,୨୨ା୨: ବିଭିନ୍ନ ଜିଲାରେ ଘଟିଥିବା ୧୭ଟି ହତ୍ୟା ଓ ଶିଶୁଚୋରି ଘଟଣାରେ ନ୍ୟାୟ ପାଇଁ ବଞ୍ଚିତ ୧୭ ପରିବାର ମିଳିତ ଭାବେ ସୋମବାର ହାଇକୋର୍ଟରେ ଏକ ରିଟ୍‌ ପିଟିଶନ୍‌ ଦାଖଲ କରିଛନ୍ତି। ଏସବୁ ଘଟଣା ମଧ୍ୟରେ ଜଗତ୍‌ସିଂହପୁର ଜିଲା କୁଜଙ୍ଗର ଇଞ୍ଜିନିୟର ଅମୃତ ଦାଶ, ମାହାଙ୍ଗା ବାଜପୁରାର ଦୀପ୍ତିକାନ୍ତ ସାହୁ, କୁଜଙ୍ଗ ପଙ୍କପାଳର ଉଲ୍ଲାସ ଜେନା, ମାନବପ୍ରେମୀ ଆଦିତ୍ୟ ଦାଶ, କନ୍ଧମାଳର ଲୋକନାଥ ପ୍ରଧାନ, ମାହାଙ୍ଗାର ବିକାଶ ଜେନା ଏବଂ କେନ୍ଦ୍ରାପଡ଼ା ଜିଲା ପାଟକୁରା ଅଞ୍ଚଳର ତପନ ମଲ୍ଲ ହତ୍ୟାକାଣ୍ଡ ପ୍ରଭୃତି ରହିଛି। ଏସବୁ ଘଟଣାର ସିବିଆଇ ତଦନ୍ତ ପାଇଁ ଆବେଦନ କରାଯାଇଛି। କୌଣସି ଆଇନଜୀବୀଙ୍କ ବିନା ସହାୟତାରେ ଏହି ରିଟ୍‌ ପିଟିଶନ ଦାଖଲ ହୋଇଛି।