ସିବିଆଇ ତଦନ୍ତ ଲାଗି ହାଇକୋର୍ଟରେ ମାମଲା

କଟକ ଅଫିସ୍‌, ୨୭।୧୧: ନୟାଗଡ଼ ଜିଲା ଯଦୁପୁର ଅଞ୍ଚଳର ଏକ ୫ବର୍ଷର ଶିଶୁକୁ ଅପହରଣ ପରେ ହତ୍ୟା ମାମଲାର ସିବିଆଇ ତଦନ୍ତ ଏବଂ ମୃତାଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ହାଇକୋର୍ଟରେ ଗୁରୁବାର ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ସାମାଜିକ ଅନୁଷ୍ଠାନ ‘ଭାରତ ବିକାଶ ପରିଷଦ’ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏଥିରେ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି। ପରୀ ହତ୍ୟା ଘଟଣାର ୪ମାସ ପରେ ବି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିଲା ନାହିଁ। ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ହୋଇଥିବାରୁ ପୋଲିସ ଜାଣିଶୁଣି ଘଟଣାକୁ ଚପାଇ ଦେଉଛି। ଏପରି କି ଅଭିଯୁକ୍ତମାନେ ଗାଁରୁ ଆମକୁ ରହିବାକୁ ଦେଉ ନାହାନ୍ତି ବୋଲି ଅଭିଯୋଗ କରି ପରୀର ବାପା ଅଶୋକ ସାହୁ ଏବଂ ମା’ ସୌଦାମିନୀ ମଙ୍ଗଳବାର ବିଧାନସଭା ମୁଖ୍ୟ ଫାଟକ ସମ୍ମୁଖ ରାସ୍ତାରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ପୋଲିସ ଏହା ଦେଖି ତୁରନ୍ତ ସେମାନଙ୍କୁ କାବୁ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଗୃହରେ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ କରିଥିଲେ। ଏଥିସହ ମନ୍ତ୍ରୀ ଅରୁଣ ସାହୁଙ୍କ ତୁରନ୍ତ ଇସ୍ତଫା ଦାବି କରିଥିଲେ। ରାଜ୍ୟ ସରକାର ବୁଧବାର ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ ବ୍ରାଞ୍ଚକୁ ଦେଇଛନ୍ତି। ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ ବାଧାପ୍ରାପ୍ତ ହୋଇପାରେ ବୋଲି ଦର୍ଶାଇ ଆବେଦନକାରୀଙ୍କ ପକ୍ଷରୁ ସିବିଆଇ ତଦନ୍ତ ନିମନ୍ତେ ପ୍ରାର୍ଥନା କରାଯାଇଛି।

Share