କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମସିଣାଯୋଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଜଣେ ଜୁଆଙ୍ଗ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। ଅଖିଳ ଜୁଆଙ୍ଗଙ୍କ ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାଡ଼ ମାରିବା ଏବଂ ଛାତ୍ରୀଙ୍କ ଜଣେ ସମ୍ପର୍କୀୟ ଏନେଇ ପଚରାଉଚରା କରିବାରୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଛାତ୍ରୀ ଜଣଙ୍କ ଖାଇବାକୁ ନ ପାଇବାରୁ ବିଦ୍ୟାଳୟ ପରିସରରୁ ବାହାରକୁ ପଳାଇଯାଇଥିଲେ। ତାଙ୍କୁ ଧରିବା ପାଇଁ ବିଦ୍ୟାଳୟର ଦିଦି ଓ କିଛି ପିଲା ଧରିବା ପାଇଁ ଦଉଡ଼ାଇଥିଲେ। ମୁଖ୍ୟଗେଟ୍ ସବୁବେଳେ ଖୋଲା ରହୁଥିବାରୁ ଛୋଟ ପିଲାଟି ବାହାରକୁ ପଳାଇ ଯାଇଥିଲା। ଉକ୍ତ ଛାତ୍ରୀଙ୍କୁ ତାଙ୍କୁ ମାମୁ ସୁରେଶ ଜୁଆଙ୍ଗ ବାହାରେ ପଳାଇ ଯାଉଥିବା ଦେଖି ଧରି ବିଦ୍ୟାଳୟକୁ ନେଇଯାଇଥିଲେ। ଏଭଳି ଅବହେଳାକୁ ନେଇ ବିଦ୍ୟାଳୟର ଦିଦିମାନଙ୍କୁ ପଚାରିବାରୁ ଅସଦ୍ବ୍ୟବହାର କରିବା ସହ ଝିଅଟିକୁ ପିଟିଥିଲେ। ଫଳରେ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଥିଲା।
ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ନ ଶୁଣିବାରୁ ଝିଅର ବାପା ପଣ୍ଡାପଡ଼ା ଥାନାରେ ୨୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏଭଳି ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତର ନ ନେଇ ଘଟଣାକୁ ଆପୋଷ ବୁଝାମଣା କରି ରଫାଦଫା କରିଦେବାକୁ ଉଦ୍ୟମ କରୁଥିବାରୁ ସ୍ଥାନୀୟ ଲୋକେ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କିଛି ବର୍ଷ ପୂର୍ବରୁ ୧୦ମ ଶ୍ରେଣୀର ଝିଅମାନେ ଅନ୍ୟ ଏକ ଗ୍ରାମକୁ ପଳାଇ ଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି। ସେହିପରି ଏହି ବିଦ୍ୟାଳୟର ଦୁଇ ଜଣ ପିଲା ମଧ୍ୟ ମରିଯାଇଛନ୍ତି। ଏଣୁ ବ୍ୟପକ ଅବ୍ୟବସ୍ଥା ମଧ୍ୟରେ ଏହି ବିଦ୍ୟାଳୟ ଚାଲିଥିବା ବେଳେ ଏହାକୁ ପ୍ରଶାସନ ଆଖି ବୁଜି ଦେଇଥିବାରୁ ଅବହେଳା ମଧ୍ୟ ଚାଲିଆସୁଛି। ଏଣୁ ବିଦ୍ୟାଳୟର ପରିଚାଳନା ବ୍ୟବସ୍ଥାକୁ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଅସନ୍ତୋଷ ଗୁରୁତର ରୂପ ଧାରଣ କରିବ ବୋଲି ମତପ୍ରକାଶ ପାଉଛି। ଏନେଇ ସଦର ଏସ୍ଡିପିଓ ସୁଦର୍ଶନ ଗଙ୍ଗୋଇ କହିଛନ୍ତି ଯେ, ପଣ୍ଡାପଡ଼ା ଥାନାରେ ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରେ ଥିବା ବିବାଦର ଲିଖିତ ଭାବରେ ଆପୋଷ ବୁଝାମଣା କରିଛନ୍ତି।