ଜିଲାପାଳଙ୍କୁ ଲାଞ୍ଚ ଦେଇ ବନ୍ଧା ହେଲେ ସିମେଣ୍ଟ ଉତ୍ପାଦନ ପ୍ଲାଣ୍ଟ ଅଧିକାରୀ

ବରଗଡ଼,୧୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ବୁଧବାର ୨ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଉଦ୍ୟମ କରିବା ଏକ ସିମେଣ୍ଟ ଉତ୍ପାଦନ ପ୍ଲାଣ୍ଟର ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଜିଲାପାଳ ଗୋୟଲଙ୍କଠାରୁ ସୂଚନା ପାଇଁ ଭିଜିଲାନ୍ସ ସମ୍ପୃକ୍ତ ସିମେଣ୍ଟ ଉତ୍ପାଦନ ପ୍ଳାଣ୍ଟର ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ, ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ମୁଖ୍ୟ ଉତ୍ପାଦନ ଅଧିକାରୀ(ପୂର୍ବ) ରାମଭବ ଗଟ୍ଟୁ। ତାଙ୍କ ବିରୋଧରେ ଭିଜିଲାନ୍ସ ୨୩/୨୪ରେ ଏକ ମାମଲା ରୁଜୁ କରିଛି। ଏହା ସହିତ ଲାଞ୍ଚ ଦେବାକୁ ଉଦ୍ୟମ କରୁଥିବା ୨ ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି।

ସୂଚନାନୁଯାୟୀ, ଅଭିଯୁକ୍ତ ସିମେଣ୍ଟ ଉତ୍ପାଦନ ପ୍ଲାଣ୍ଟର ମୁଖ୍ୟ ଅଧିକାରୀ ଗଟ୍ଟୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳ ଗୋୟଲଙ୍କୁ ସେ ଏକ ଫୁଲତୋଡ଼ା ଏବଂ ମିଠା ପ୍ୟାକେଟ୍‌ ଦେଇଥିଲେ। ତେବେ ମିଠା ପ୍ୟାକେଟ୍‌କୁ ସନ୍ଦେହ କରି ତାହା ଖୋଲିବା ପାଇଁ ଜିଲାପାଳ ତାଙ୍କ କାର୍ଯ୍ୟାଳୟର ପିଅନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପିଅନ ସେହି ମିଠା ପ୍ୟାକେଟ୍‌ ଖୋଲିବା ପରେ ୪ ବଣ୍ଡେଲ ୫୦୦ ଟଙ୍କିଆ ନୋଟ୍‌ (୨ ଲକ୍ଷ ଟଙ୍କା) ବାହାରିଥିଲା। ଏହାପରେ ଅଭିଯୁକ୍ତଙ୍କୁ କାର୍ଯ୍ୟାଳୟରେ ଅଟକ ରଖାଯାଇ ଭିଜିଲାନ୍ସକୁ ସେ ନେଇ ସୂଚନା ଦେଇଥିଲେ। ଭିଜିଲାନ୍ସ ଟିମ୍‌ ପହଞ୍ଚି ତାଙ୍କୁ ଗିରଫ ସହିତ ଫୁଲତୋଡ଼ା ଏବଂ ୨ ଲକ୍ଷ ଟଙ୍କା ଜବତ କରିଥିଲେ।

Share