କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସୁନାବେଡା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର କୋରାପୁଟ ଟାଉନ ଥାନା ଅଧୀନ ଡୁମୁରିପୁଟ ନିକଟରେ ଶୁକ୍ରବାର ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା। ଫଳରେ ଦୀର୍ଘ ୬ ଘଣ୍ଟା ସମୟ ଜାତୀୟ ରାଜପଥ ଅବରୋଧ ହୋଇ ରହିଥିଲା। ଏନେଇ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ବସ, ଟ୍ରକ ଓ ଚାରି ଚକିଆ ଯାନ ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଏନେଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ସିମେଣ୍ଟ ଟ୍ୟାଙ୍କର ଗାଡି ଆନ୍ଧ୍ରପ୍ରଦେଶରୁ କୋରାପୁଟ ଅଭିମୁଖେ ଆସୁଥିବା ବେଳେ ଭୋର ୫ଟାରେ ଡୁମୁରିପୁଟ ନିକଟରେ ଭାରସାମ୍ୟ ହରାଇ ରାଜପଥ ଉପରେ ଓଲଟି ପଡ଼ିଥିଲା। ଫଳରେ ଉକ୍ତ ରାସ୍ତାରେ ଯାତାୟତ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବିଶାଖାପାଟଣା, ସମ୍ବଲପୁର, ବଲାଙ୍ଗୀର, ରାୟପୁରରୁ ଆସୁଥିବା ବସ୍ ସମେତ ଶହଶହ ଟ୍ରକ ଓ ଚାରି ଚକିଆ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ୬ ଘଣ୍ଟା ଧରି ଛିଡ଼ାହୋଇ ରହିଥିଲା।
ଖବର ପାଇ କୋରାପୁଟ ଟାଉନ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, ଡୁମୁରିପୁଟ ଫାଣ୍ଡି ଅଧିକାରୀ କେ.ସି ମିଶ୍ର ଓଡ଼ରାଫ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମେଶିନ ସାହାର୍ଯ୍ୟରେ ରାସ୍ତାରୁ ହଟାଇ ଥିଲେ। ପରେ ଯାତାୟତ ସ୍ବାଭାବିକ ହୋଇଥିଲା। ଦୁର୍ଘଟଣାରେ ଟ୍ୟାଙ୍କର ଚାଳକ କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି।