ଓଏମ୍‌ଜି ୨କୁ ‘ଏ’ ସାର୍ଟିଫିକେଟ୍‌

ମୁମ୍ବାଇ,୨ା୮: ଅକ୍ଷୟ କୁମାରଙ୍କ ଅଭିନୀତ ହିନ୍ଦୀ ସିନେମା ‘ଓହ ମାଇଁ ଗଡ୍‌’ର ସିକ୍ୱେଲ ‘ଓଏମ୍‌ଜି ୨’କୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ ପକ୍ଷରୁ ‘ଏ’ ସାର୍ଟିଫିକେଟ୍‌ ମିଳିଛି। ଫିଲ୍ମରେ ଅଳ୍ପ କେତୋଟି ପରିବର୍ତ୍ତନ ସହ ସେନ୍ସର ବୋର୍ଡ ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ (ଆଡଲ୍ଟ) ପ୍ରମାଣପତ୍ର ପ୍ରଦାନ କରିଛି। ଫିଲ୍ମଟି ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ। ଭେଟେରାନ୍‌ ପଙ୍କଜ ତ୍ରିପାଠୀ, ଗୋବିନ୍ଦ ନାମଦେବ ଅଭିନୟ କରିଥିବା ଏହି ଫିଲ୍ମରେ ‘ରାମାୟଣ’ ଧାରାବାହିକର ଅରୁଣ ଗୋଭିଲଙ୍କୁ ରାମ ଭୂମିକାରେ ଦେଖିବାକୁ ମିଳିବ। ଅଭିନେତ୍ରୀ ୟାମୀ ଗୌତମ ଏଥିରେ କାମିନୀ ମାହେଶ୍ୱରୀ ଭୂମିକାରେ ନଜର ଆସିବେ। ଅମିତ ରାଏଙ୍କ ନିର୍ଦ୍ଦେଶିତ ‘ଓଏମ୍‌ଜି ୨’କୁ  ‘ୟୁଏ’ ସାର୍ଟିଫିକେଟ ପ୍ରଦାନ କରାଯାଉ ବୋଲି ପ୍ରଯୋଜକ ଭିପୁଲ ଡି. ଶାହା ଆବେଦନ କରିଥିଲେ। କିନ୍ତୁ  ଏଥିରେ ଥିବା କେତେକ ଆପତ୍ତିଜନକ ସଂଳାପ ଓ ଦୃଶ୍ୟକୁ ବାଦ୍‌ ଦେବା ପାଇଁ ସେନ୍ସର ବୋର୍ଡ ସର୍ତ୍ତ ବାଢ଼ିଥିଲା। ତେବେ ଫିଲ୍ମର ମୌଳିକତା ନଷ୍ଟହେବା ଆଶଙ୍କାରେ ପ୍ରଡକ୍ସନ ହାଉସ୍‌ ମନା କରିଦେଇଥିଲା। ସିବିଏଫ୍‌ସି ଅନୁସାରେ ‘ୟୁଏ’ ପ୍ରମାଣପତ୍ର ପ୍ରଦାନର ଅର୍ଥ ହେଉଛି ୧୨ ବର୍ଷରୁ କମ୍‌ ବୟସର ପିଲା ମଧ୍ୟ ଫିଲ୍ମକୁ ଦେଖିପାରିବେ। ‘ଏ’ ପ୍ରମାଣପତ୍ର ପ୍ରାପ୍ତ ଫିଲ୍ମ ୧୮+ଙ୍କ ପାଇଁ ଉଦ୍ଦିଷ୍ଟ।
Share