କୁକୁଡ଼ା ହତ୍ୟାରେ କାନ୍ଦିଲା ପୂରା ସହର

ମିସିସିପିର ଏକ ଛୋଟ ସହରରେ ଗୋଟିଏ କୁକୁଡ଼ାକୁ ହତ୍ୟା କରାଯାଇଛି। ୧୮,୦୦୦ ଜନସଂଖ୍ୟା ବିଶିଷ୍ଟ ସମଗ୍ର ସହରରେ କୁକୁଡ଼ା ହତ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଛି। କୁକୁଡ଼ା ମୃତ୍ୟୁକୁ ନେଇ ଲୋକଙ୍କ ଆଖିରେ ଲୁହ ଶୁଖୁନି। ଜଣେ ପୋଲିସ କର୍ମଚାରୀ କୁକୁଡ଼ାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଲୋକମାନେ ସମ୍ପୃକ୍ତା ପୋଲିସ ଅଧିକାରୀଙ୍କୁ ଦଣ୍ଡ ଦେବାକୁ ଦାବି ଉଠାଇଛନ୍ତି। କୁକୁଡ଼ାଟିର ନାମ କାର୍ଲ। ସେ ଦିନରାତି ଓସେନ ସ୍ପ୍ରିଙ୍ଗ୍ସର ରାସ୍ତାରେ ବୁଲୁଥିଲା। ସେ ସକାଳୁ ସକାଳୁ ସ୍ଥାନୀୟ ଲୋକଙ୍କ ଦୋକାନରେ ପହଞ୍ଚୁଥିଲା।
କୁକୁଡ଼ାଟି ବହୁତ ଲୋକପ୍ରିୟ ଥିଲା। ସେ କଫି ଦୋକାନ ବୁଲି ବୁଲି କରି ପାଣି ପିଉଥିଲା। ଏପରିକି ସେ ଫିଟନେସ କ୍ଲାସରେ ବି ସାମିଲ ହେଉଥିଲା। ସେ ଏତେ ମେଳାପି ଥିଲା ଯେ ଲୋକଙ୍କ ପାଖକୁ ଯାଇ ଫଟୋ ପାଇଁ ପୋଜ୍‌ ଦେଉଥିଲା। ସେ କିଛି ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲା। ତାକୁ ଜଣେ ମହିଳା ପୋଲିସ କର୍ମଚାରୀ ଅପହରଣ କରି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାର ମୃତଦେହ ଏବେ ବି ମିଳିନାହିଁ।
କାର୍ଲଙ୍କ ସ୍ମୃତିରେ ସ୍ଥାନୀୟ କଳାକାର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଯେଉଁ ଟାଟୁ କଳାକାରଙ୍କ ପାର୍ଲରରେ କାର୍ଲ ରହୁଥିଲା ସେ କହିଛନ୍ତି, ସେ ଏପ୍ରିଲ ୨୫ରେ ତାଙ୍କ ଦୋକାନରେ ପହଞ୍ଚିଲେ, କାର୍ଲଙ୍କୁ ଆଉ ସେଠାରେ ଦେଖିବାକୁ ମିଳିଲା ନାହିଁ। ଏହା ପରେ ସେ ଅନେକ ଦିନ ପର୍ଯ୍ୟନ୍ତ ଏଠାକୁ ନ ଆସିବାରୁ, ତାର ସନ୍ଧାନ ଆରମ୍ଭ ହୋଇଥିଲା। ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଏପ୍ରିଲ ୨୪ ସକାଳ ୩ଟାରେ ଜଣେ ମହିଳା ତିନିଜଣ ପୁରୁଷଙ୍କ ସହ ଆସି ତାଙ୍କୁ ଧରି ନେଇ ଯାଇଥିଲେ।
ସିସିଟିଭି ଫୁଟେଜରେ ଦେଖାଯାଇଥିବା ମହିଳା ଜଣକ ହେଉଛନ୍ତି ଜୋନ୍ସ କାଉଣ୍ଟି ଜୁଭେନାଇଲ ଡିଟେନସନ୍‌ ସେଣ୍ଟରର ପୋଲିସ ଅଧିକାରୀ କେନ୍ଦ୍ର ଶାଫର୍‌। କୁକୁଡ଼ା ନେବାର ପ୍ରାୟ ୧୫ ମିନିଟ ପରେ, ଶାଫର୍‌ କାର୍ଲର ମୃତଦେହକୁ ପାର୍କିଂ ସ୍ଥାନରେ ପକାଉଥିବାର ସିସିଟିଭି ଫୁଟେଜରେ ଦେଖାଯାଇଥିଲା। ଏବେ ସୁଦ୍ଧା କାର୍ଲଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପଶୁଙ୍କ ପ୍ରତି ଅତ୍ୟାଚାର ପାଇଁ ଶାଫରଙ୍କୁ ପୋଲିସ ନୋଟିସ ଜାରି କରିଥିଲା ଏବଂ ତାଙ୍କୁ ଚାକିରିରୁ ମଧ୍ୟ ବହିଷ୍କାର କରାଯାଇଥିଲା। ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି କୁକୁଡା ମୃତ୍ୟୁର ପ୍ରାୟ ଏକ ଘଣ୍ଟା ପରେ ତାର ମୃତଦେହ ସଂଗ୍ରହ କରି ପ୍ଲାଷ୍ଟିକ ଥାଳିରେ ରଖୁଥିବାର ଦେଖାଯାଇଛି। ଅବଶ୍ୟ, ପରେ ତାର ମୃତଦେହ କୁଆଡେ ଗାଏବ ହୋଇଯାଇଛି।

Share