କାଳ ସାଜିଲା ବଜ୍ରପାତ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶନିବାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏପରିକି ବଜ୍ରପାତରେ ୮ଗାଈଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ହରିଚନ୍ଦନପୁର ବ୍ଲକ ଧୁରୁଡ଼ିଆମ୍ବ ଗ୍ରାମରେ ଅପରାହ୍ନରେ ବର୍ଷା ହୋଇଥିଲା। ସେତିକିବେଳେ ଶିଶୁଟି ଏକୁଟିଆ ଘରେ ଏକ କୋଠରୀରେ ବସିଥିବା ବେଳେ ଘଡଘଡି ସହ ବଜ୍ରପାତ ହୋଇଥିଲା। ଫଳରେ ଶିଶୁଟି ପଡିଯାଇଥିଲେ। ତୁରନ୍ତ ତାଙ୍କୁ ମେଡ଼ିକାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ହରିଚନ୍ଦନପୁର ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲା କହିଛନ୍ତି।

ସେହିପରି ତେଲକୋଇ ବ୍ଲକ କାଳିଆହତା ପଞ୍ଚାୟତର ଗୋଡ଼ିକଂସ ଗାଁ ନିକଟରେ ବଜ୍ରପାତ ଘଟି କେତକୀ ମହାନ୍ତ, ସୋନାଲି ମହାନ୍ତ ଏବଂ ନମିତା ମହାନ୍ତ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଳିଥିବା ତେଲକୋଇ ଥାନା ଅଧିକାରୀ ସୁଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ଏପରି କି କାଟେଣୀ ହାଟ ପଡ଼ିଆରେ ଥିବା ଏକ ଶାଳ ଗଛକୁ ବଜ୍ରଘାତ ଘଟିଥିଲା। ଫଳରେ ଗଛ ତଳେ ଚରୁଥିବା ୮ ଗୋରୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।