୩ ଜଣଙ୍କ ଡିଏନ୍‌ଏରେ ଶିଶୁ ଜନ୍ମ

ଲଣ୍ଡନ,୧୧ା୫ : ବ୍ରିଟେନ୍‌ରେ ପ୍ରଥମ ଥର ପାଇଁ ୩ ଜଣ ବ୍ୟକ୍ତିଙ୍କ ଡିଏନ୍‌ଏକୁ ମିଶ୍ରଣ କରି ଶିଶୁ ଜନ୍ମ କରାଯାଇଛି। ପିଲାମାନଙ୍କୁ ବିରଳ ଆନୁବଂଶିକ ରୋଗରୁ ମୁକ୍ତ କରିବା ପାଇଁ ଏକ ପ୍ରୟୋଗାମତ୍କ ଉପାୟରେ ସେମାନଙ୍କୁ ଭୂମିଷ୍ଠ କରାଯାଇଥିବା ବୁଧବାର ଦେଶର ଫର୍ଟିଲିଟି ନିୟନ୍ତ୍ରକ ସ୍ପଷ୍ଟ କରିଛନ୍ତି। ବ୍ରିଟେନର ହ୍ୟୁମାନ୍‌ ଫର୍ଟିଲାଇଜେଶନ୍‌ ଆଣ୍ଡ୍‌ ଏମ୍ବ୍ରିଲୋଜି ଅଥରିଟି କହିଛନ୍ତି, ଏହି ପ୍ରଣାଳୀ ଜରିଆରେ ୫ରୁ କମ୍‌ ଶିଶୁ ଜନ୍ମ ହୋଇଛନ୍ତି। କିନ୍ତୁ ସେ ସମ୍ପୃକ୍ତ ପରିବାରଗୁଡ଼ିକର ପରିଚୟ ଗୋପନ ରଖିବାକୁ ଯାଇ ଅଧିକ ତଥ୍ୟ ଦେଇନାହାନ୍ତି। ଏହି ଖବର ପ୍ରଥମେ ଗାର୍ଡିଆନ୍‌ ଖବରକାଗଜରେ ପ୍ରକାଶ ପାଇଥିଲା। ମାଇଟୋକୋଣ୍ଡ୍ରିଆ ଦୋଷ ଥିବା ମହିଳାଙ୍କ ପ୍ରସବରେ ଅସୁବିଧା ହେଉଥିବାରୁ ସେମାନଙ୍କୁ ଏଥରୁ ନିବୃତ୍ତ କରିବା ପାଇଁ ୨୦୧୫ରେ ବ୍ରିଟେନ୍‌ ଅଭିନବ ଉପାୟରେ ପିଲା ଜନ୍ମ କରାଇବା ନେଇ ଆଇନ ଆଣିଥିଲା।

କାରଣ ଆନୁବଂଶିକ ଦୋଷ ଥିଲେ ପରବର୍ତ୍ତୀ ସମୟରେ ଶିଶୁର ମାଂସପେଶୀରେ ଦୁର୍ବଳତା, ଅପସ୍ମାର, ହୃତ୍‌ପିଣ୍ଡ ସମସ୍ୟା ଏବଂ ବୌଦ୍ଧିକ ଅକ୍ଷମତା ଦେଖିବାକୁ ମିଳିଥାଏ। ବ୍ରିଟେନ୍‌ରେ ଜନ୍ମିତ ପ୍ରତି ୨୦୦ ଶିଶୁଙ୍କ ମଧ୍ୟରୁ ଜଣେ ମାଇଟୋକୋଣ୍ଡ୍ରିଆ ଡିଜ୍‌ଅର୍ଡର ରୋଗର ଶିକାର ହୋଇଥାଆନ୍ତି। ଅଦ୍ୟାବଧି ୩୨ ରୋଗୀଙ୍କୁ ଏଭଳି ରୋଗର ଚିକିତ୍ସା ପାଇଁ ଅନୁମତି ମିଳିଛି। ବୈଜ୍ଞାନିକମାନେ ମାଇଟୋକୋଣ୍ଡ୍ରିଆ ଦୋଷଯୁକ୍ତ ମହିଳାଙ୍କ ଭ୍ରୂଣରୁ ଆନୁବଂଶିକ ଉପାଦାନ ନେଇ ଡୋନର୍‌ଙ୍କ ଶୁକ୍ରାଣୁକୁ ସ୍ଥାନାନ୍ତର କରିଥାନ୍ତି। ପରେ ସେହି ଶୁକ୍ରାଣୁକୁ ଅନ୍ୟ ଜଣେ ମହିଳାଙ୍କ ଗର୍ଭରେ ଅବସ୍ଥାପନ କରାଯାଏ। ଦାନ କରାଯାଇଥିବା ଶୁକ୍ରାଣୁରୁ ସଂଗୃହୀତ ଆନୁବଂଶିକ ଉପାଦାନ ଜରିଆରେ ୧%ରୁ କମ୍‌ ଶିଶୁ ଜନ୍ମ ହୋଇଥାଆନ୍ତି ବୋଲି ଫର୍ଟିଲିଟି ରେଗୁଲେଟର ବୁଧବାର ଏକ ବିବୃତିରେ କହିଛନ୍ତି।

ଉକ୍ତ ଚିକିତ୍ସାରେ ସାମିଲ ଥିବା ନ୍ୟୁକ୍ୟାଶେଲ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହା ଉପରେ ଖୁବ୍‌ଶୀଘ୍ର ବିସ୍ତୃତ ରିପୋର୍ଟ ପ୍ରକାଶ କରିବେ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଏଭଳି ଉପାୟରେ ଜନ୍ମିତ ଶିଶୁଙ୍କ ଭବିଷ୍ୟତକୁ ନେଇ ଅନୁଧ୍ୟାନ କରିବା ଏକ ଜଟିଳ ବ୍ୟାପାର ବୋଲି ଲଣ୍ଡନସ୍ଥିତ ବାୟୋଡେିକାଲ ରିସର୍ଚ୍ଚ ସେଣ୍ଟର ଫ୍ରାନ୍ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଷ୍ଟେମ୍‌ ସେଲ୍‌ ବିଶେଷଜ୍ଞ ରୋବିନ୍‌ ଲୋଭେଲ୍‌-ବେଜ୍‌ ସତର୍କ କରାଇଛନ୍ତି। ଆମେରିକୀୟ ଡାକ୍ତରମାନେ ମାଇଟୋକୋଣ୍ଡ୍ରିଆ ଡୋନେଶନ୍‌ ଟେକ୍‌ନିକ୍‌ ଜରିଆରେ ବିଶ୍ୱର ଶିଶୁ ଜନ୍ମ କରାଇଥିବା ନେଇ ୨୦୧୬ରେ ଦାବି କରିଥିଲେ।

 

Share