ପେଟ ପାଇଁ ଜରି, ପ୍ଲାଷ୍ଟିକ୍‌ ବୋତଲ ଗୋଟାଉଛନ୍ତି ଶିଶୁ

ଯାଜପୁରରୋଡ୍‌,୩୦ା୧୦(ପବିତ୍ର ରଞ୍ଜନ ମହାନ୍ତି): ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳିତ ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ସେ ସବୁ ଯୋଜନା କେତେକ ସ୍ଥାନରେ କେବଳ କାଗଜକଲମରେ ସୀମିତ ରହୁଥିବା ଅଭିଯୋଗ ହେଉଛି। ଯାହାର ନିଚ୍ଛକ ଦୃଶ୍ୟ ଦେଖିବାକୁ ମିଳିଛି କଳିଙ୍ଗନଗର ଶିଳ୍ପ ସାମ୍ରାଜ୍ୟର ମୁଖଶାଳା ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ। ସହରସ୍ଥ ବସ୍ତି ଅଞ୍ଚଳର କୋମଳମତି ପିଲାମାନେ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷାଠାରୁ ବହୁ ଦୂରରେ। ନିକଟରେ ସହରର ସାଇ ମନ୍ଦିର ରେଳ ଲେଭଲ କ୍ରସିଂ ନିକଟରେ ୩ ଜଣ ୫ରୁ ୭ ବର୍ଷର ଶିଶୁ ରାସ୍ତାକଡ଼ରେ ବସିଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ସେମାନଙ୍କ ନିକଟରେ ଏକ ବଡ଼ ଜରି ବସ୍ତା ରହିଥିଲା। ବସ୍ତାରେ ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ ଓ ଜରି ପଶିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଡ୍ରେନରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ ପାଇଁ ଡ୍ରେନରେ ପଶୁଥିବା ଦେଖିବାକୁ ମିଳିଥିଲା। ଅନ୍ୟ ୨ଜଣ ଉପରେ ବସି ଡ୍ରେନରୁ ସଂଗୃହୀତ ବୋତଲକୁ ଜରି ମୁଣିରେ ଭର୍ତ୍ତି କରୁଥିଲେ। ସେମାନଙ୍କ ନିକଟକୁ ଯାଇ ପଚାରିବାରୁ ସେମାନେ ବ୍ୟାସସରୋବର ନିକଟ ଗାନ୍ଧୀ ବସ୍ତିରେ ରହୁଥିବା କହିଥିଲେ। ପ୍ରତ୍ୟେକ ଦିନ ସକାଳୁ ଉଠି ଜରି, ପ୍ଲାଷ୍ଟିକ ବୋତଲ ଗୋଟାଇବା ସେମାନଙ୍କର କାମ ଓ ତାକୁ ବିକି ଯାହା ପଇସା ମିଳେ ସେମାନେ ତାଙ୍କ ବାପାମା’ଙ୍କୁ ଘର ଚଳାଇବାକୁ ଦେଉଥିବା ପ୍ରକାଶ କରିଥିଲେ।
ସେଥିପାଇଁ ବହୁ ସମୟରେ ଲୋକଙ୍କଠାରୁ ମାଡ଼ ମଧ୍ୟ ସେମାନଙ୍କୁ ଖାଇବାକୁ ପଡ଼ିଥାଏ। ସକାଳୁ କ’ଣ ଖାଇଛ ପଚାରିବାରୁ କିଛି ଖାଇନାହାନ୍ତି। ସାମଗ୍ରୀ ବିକିଲେ ଯେଉଁ ପଇସା ମିଳିବ ସେଥିରୁ କିଛି କିଣି ଖାଇବେ ବୋଲି କହିଥିଲେ। ଫୁଙ୍ଗୁଳା ଦେହରେ ଚିରା ପ୍ୟାଣ୍ଟ ପିନ୍ଧିଥିଲେ। ମୁହଁରେ ସେମାନଙ୍କର ବହୁ ପ୍ରଶ୍ନବାଚୀ ଉଙ୍କି ମାରୁଥିବା ପ୍ରତୀୟମାନ ହେଉଥିଲା। ସେମାନେ କେବେ ଅଙ୍ଗନଓ୍ବାଡି କିମ୍ବା ସ୍କୁଲ ଯାଉ ନ ଥିବା ପ୍ରକାଶ କରିଥିଲେ। ସେହିପରି ବହୁ ଛୋଟଛୋଟ ପିଲା ବିଭିନ୍ନ ହୋଟେଲ, ଜଳଖିଆ ଓ ଚା’ ଦୋକାନରେ ଅଇଁଠା ଗ୍ଲାସ, ପ୍ଲେଟ ଧୋଉଥିବା ଦେଖିବାକୁ ମିଳୁଛି। ବହୁ ଶିଶୁ ସେମାନଙ୍କ ଶୈଶବର ଖେଳକୁଦ ସମୟରେ ନିଜ ପରିବାର ବୋଝ ମୁଣ୍ଡାଉଛନ୍ତି। ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଥିବା ଅନୁଭୂତ ହେଉଛି। ଏଥିପ୍ରତି ଜିଲା ଶିଶୁ ସୁରକ୍ଷା ବିଭାଗ ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ସେମାନଙ୍କ ସୁରକ୍ଷା ପ୍ରତି ପଦକ୍ଷେପ ନେବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହୋଇଛି।

Share