ବାରିପଦା ଅଫିସ,୧୪।୯: ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ପଥରନେସା ଆଦିବାସୀ ଆଶ୍ରମ ସ୍କୁଲର ଛାତ୍ରୀଛାତ୍ରମାନେ ଜିଲାପାଳଙ୍କୁ ଭେଟିବା ପାଇଁ ସ୍କୁଲ ଛାଡ଼ିବା ଓ ୫ କି.ମି ଚାଲିବା ପରେ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝାଶୁଝା କରି ଫେରାଇ ନେବା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ବିଭାଗ ଦ୍ୱାରା ପଥରନେସା ଆଶ୍ରମ ସ୍କୁଲ ପରିଚାଳିତ ହୋଉଛି। ଏଠାରେ ୩ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ଓ ଛାତ୍ରାବାସ ରହିଛି। ୨୬୦ଛାତ୍ରୀଛାତ୍ର ଛାତ୍ରାବାସରେ ରହୁଥିବା ବେଳେ ସ୍କୁଲର ବିଭିନ୍ନ ସମସ୍ୟାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ନିର୍ଯାତନା ଦେଉଥିବା ଓ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ କରି ଛାତ୍ରୀଛାତ୍ରମାନେ ସକାଳ ସାଢେ ୯ଟାରୁ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ। ସମସ୍ୟାର ସମାଧାନ ନ ହେବାରୁ ଶତାଧିକ ଛାତ୍ରୀଛାତ୍ର ୪୦କି.ମି. ଦୂର ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବାକୁ ବାହାରିଥିଲେ। ୫କି.ମି. ଚାଲିବା ପରେ ମହାବିଲାଠାରେ ତହସିଲଦାର, ଦାୟିତ୍ୱରେ ଥିବା ଜିଲା ମଙ୍ଗଳ ଅଧିକାରୀ ସୁନାରାମ ସିଂ, ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବସନ୍ତ ସେଠୀ, ଏସ୍ଡିପିଓ କେ.କେ. ହରିପ୍ରସାଦ ଓ ମୋରଡ଼ା ବିଧାୟକ ରାଜକିଶୋର ଦାସ ପହଞ୍ଚିି ଛାତ୍ରୀଛାତ୍ରଙ୍କୁ ଅଟକାଇ ବୁଝାଶୁୁଝା କରିଥିଲେ। ଖୁବଶୀଘ୍ର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯିବା ସହିତ ଅନ୍ୟ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ଛାତ୍ରୀଛାତ୍ରମାନେ ସ୍କୁଲକୁ ଫେରିଥିଲେ।