କୁଆଁରମୁଣ୍ଡା,୧୨।୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ୬ ମାସର ଗର୍ଭବତୀ ଥିବା ଘଟଣା ସୋମବାର ଲୋକଲୋଚନକୁ ଆସିଛି। ଏଭଳି ଲଜ୍ଜାଜନକ ଘଟଣାର ଅଭିଯୁକ୍ତ ଜଣକ ବିବାହିତ ଯୁବକ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଜଣକ ଡିସେମ୍ବର ମାସରେ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ନାବାଳିକା ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ଅଭିଯୁକ୍ତ ତାଙ୍କୁ ଘଟଣା ସମ୍ପର୍କରେ କାହାରିକୁ ନ ଜଣାଇବାକୁ ଧମକ ଦେଉଥିଲେ। ଏଥିରେ ମା’ ଛେଉଣ୍ଡ ନାବାଳିକା ଭୟଭୀତ ହୋଇ ଘଟଣା ସମ୍ପର୍କରେ କାହାରିକୁ ଜଣାଇ ନ ଥିଲେ। ହେଲେ ନାବାଳିକାଙ୍କ ବାପା କୌଣସି ପ୍ରକାରେ ଘଟଣା ସମ୍ପର୍କରେ ଜାଣି ସୋମବାର କୁଆଁରମୁଣ୍ଡା ଫାଣ୍ଡିରେ ଏତଲା ଦେଇଥିଲେ । ଏ ନେଇ ପୋଲିସ ଦଫା ୩୭୬, ୫୦୬, ପୋକ୍ସୋ ଆକ୍ଟରେ ଏକ ମାମଲା(ନଂ.୧୩୫/୨୦୨୩)ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏପରିକି ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ନାବାଳିକାଙ୍କ ଡାକ୍ତରୀ ମାଇନା କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରାଇଥିବା ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ହେଲେ ଅଭିଯୁକ୍ତ ଜଣକ ଫେରାର ଥିବା ପୋଲିସ କହିଛି।