Categories: ଜାତୀୟ

ଘୋଡ଼ାବେପାର ମାମଲାରେ ଓଡ଼ିଶା ରାଜ୍ୟପାଳଙ୍କୁ କ୍ଲିନ୍‌ଚିଟ୍‌

ରାଞ୍ଚତ୍,୮ା୪:ଓଡ଼ିଶା ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଏକ ଘୋଡ଼ାବେପାର ମାମଲାରେ କ୍ଲିନ୍‌ଚିଟ୍‌ ମିଳିଛି। ୨୦୧୬ରେ ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ଘୋଡ଼ାବେପାର କରିବା ଅଭିଯୋଗରେ ରଘୁବର ଅଭିଯୁକ୍ତ ଥିଲେ। ରାଞ୍ଚତ୍ ସ୍ବତନ୍ତ୍ର କୋର୍ଟ (ଭିଜିଲାନ୍ସ) କ୍ଲୋଜର ରିପୋର୍ଟକୁ ଗ୍ରହଣ କରି ଏହି ମାମଲାକୁ ବନ୍ଦ କରିଦେଇଛନ୍ତି।
୨୦୧୮ ମାର୍ଚ୍ଚରେ ଗୃହ ବିଭାଗର ତତ୍କାଳୀନ ଅତିରିକ୍ତ ସଚିବଙ୍କ ଏତଲା କ୍ରମେ ଜଗନ୍ନାଥପୁର ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ସେତେବେଳେ ରଘୁବର ଦାସଙ୍କ ରାଜନୈତିକ ପରାମର୍ଶଦାତା ଥିବା ଅଜୟ କୁମାର ଏବଂ ସିଆଇଡି ମହାନିର୍ଦ୍ଦେଶକ ଅନୁରାଗ ଗୁପ୍ତାଙ୍କୁ ଏଥିରେ ଅଭିଯୁକ୍ତ ଦର୍ଶାଯାଇଥିଲା। ପରବର୍ତ୍ତୀ ସମୟରେ ରଘୁବରଙ୍କ ନାମ ଏହି ମାମଲାରେ ଯୋଡ଼ାଯାଇଥିଲା। ବର୍କାଗାଓର କଂଗ୍ରେସ ବିଧାୟିକା ନିର୍ମଳା ଦେବୀଙ୍କୁ ରାଜ୍ୟ ସଭା ନିର୍ବାଚନ ବେଳେ ମତଦାନରୁ ବିରତ ରହିବାକୁ ରଘୁବରଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ପ୍ରବର୍ତ୍ତାଇବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଝାଡ଼ଖଣ୍ଡ ଭାଜପା ସଭାପତି ଥିବା ବାବୁଲାଲ ମାରାଣ୍ଡି ସେତେବେଳେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ। ଜୁନ୍‌ ୧୦ରେ ବାବୁଲାଲ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଏକ ସିଡୀ ଦାଖଲ କରିଥିଲେ। ଅନୁରାଗ, ଅଜୟ ଏବଂ ନିର୍ମଳାଙ୍କ ସ୍ବାମୀ ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ସାଓଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ରେକର୍ଡ ଏହି ଅଡିଓ ଟେପ୍‌ରେ ରହିଥିଲା। ସେମାନେ ଯୋଗେନ୍ଦ୍ରଙ୍କୁ ୫ କୋଟି ଟଙ୍କା ଯାଚିବା ସହ ତାଙ୍କ ବିରୋଧରେ ବିଚାରାଧୀନ ଥିବା ଅନେକ ଆପରାଧିକ ମାମଲା ପ୍ରତ୍ୟାହାର କରିନେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହାର ଦିନକ ପରେ ଭାଜପା ପ୍ରାର୍ଥୀ ମୁଖ୍‌ତାର ଅବ୍ବାସ୍‌ ନକ୍‌ଭି ଓ ମହେଶ ପୋଦ୍ଦାର ଝାଡ଼ଖଣ୍ଡର ୨ ରାଜ୍ୟ ସଭା ଆସନରୁ ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ। ଝଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ବସନ୍ତ ସୋରେନ ନିର୍ବାଚନରେ ହାରିଯାଇଥିଲେ। ଭାଜପା ନିକଟରେ ଦ୍ୱିତୀୟ ପ୍ରାର୍ଥୀଙ୍କ ସପକ୍ଷରେ ପର୍ଯ୍ୟାପ୍ତ ଭୋଟ ନ ଥିବାରୁ ପୋଦ୍ଦାରଙ୍କ ବିଜୟ ସମସ୍ତଙ୍କୁ ବିସ୍ମିତ କରିଥିଲା। ତେବେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୁକ୍ତମାନଙ୍କ ଭଏସ୍‌ ରେକର୍ଡିଂ ସମ୍ବଳିତ ସିଡୀରେ ଟାମ୍ପରିଂ କରାଯାଇଥିବା ନେଇ ଫୋରେନ୍ସିକ୍‌ ସାଇନ୍ସ ଲାବ୍‌ (ଏଫ୍‌ଏସ୍‌ଏଲ୍‌) ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଞ୍ଚତ୍ ପୋଲିସ ଗତ ଜାନୁଆରୀରେ ଏହି ମାମଲାକୁ ବନ୍ଦ କରିବା ପାଇଁ କ୍ଲୋଜର ରିପୋର୍ଟ ଦାଖଲ କରିଥିଲା। ରଘୁବର ୨୦୨୩ ଅକ୍ଟୋବର ୧୮ରେ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ।

Share