Categories: ଫୁରସତ

ସାମୂହିକ ଉଦ୍ୟମ ଲୋଡ଼ା

ବିଶ୍ୱର ବଢୁଥିବା ଉଷ୍ମତା ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୪ ତାରିଖରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଇଥାଏ ।
ଏହି ଅବସରରେ ଶକ୍ତି ଉତ୍ସ ସଞ୍ଚୟ ଦିଗରେ ପ୍ରୟାସକୁ ପ୍ରୋତ୍ସାହିତ କରାଯାଇଥାଏ। ଦୈନନ୍ଦିନ ଜୀବନରେ ଶକ୍ତି ବ୍ୟବହାର, ସଂରକ୍ଷଣ, ଅଭାବ ଓ ବିଶ୍ୱର ଇକୋସିଷ୍ଟମର ସ୍ଥାୟିତ୍ୱ ଉପରେ ଏହାର ପ୍ରଭାବକୁ ଦର୍ଶାଇବା ପାଇଁ ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରାଯିବାର ମୁଖ୍ୟ ଲକ୍ଷ୍ୟ। ଶକ୍ତି ଉପରେ ମାନବଜାତିର ଭବିଷ୍ୟତ ସାମ୍ନା କରୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ।
ବ୍ୟବହାରକୁ ପ୍ରାୟତଃ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ଭାବରେ ବିବେଚନା କରାଯାଏ। ବିଶ୍ୱର ବିୀଭିନ୍ନ ଦେଶର ଅଗ୍ରଗତି ସହିତ ଶକ୍ତି ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ବ୍ୟବହାର ଅନୁପାତରେ ବର୍ତ୍ତମାନର ଗଚ୍ଛିତ ଥିବା ତୈଳ ପ୍ରାୟ ୪୫ ବର୍ଷ, ଗ୍ୟାସ ପ୍ରାୟ ୬୫ ବର୍ଷ, କୋଇଲା ପ୍ରାୟ ୨୦୦ ବର୍ଷ ପରେ ଶେଷ ହୋଇଯିବ ବୋଲି ଆକଳନ କରାଯାଇଛି। ତେଣୁ ସବୁଜ ବିକଳ୍ପ ଶକ୍ତି ଉତ୍ସ ବ୍ୟବହାର କରିବା ଅପରିହାର୍ଯ୍ୟ ହୋଇ ପଡିଛି। ଯାହା ଦ୍ୱାରା ବିଶ୍ୱତାପନ ଏବଂ ପ୍ରଦୂଷଣ ମାତ୍ରା ହ୍ରାସ ପାଇ ପାରିବ। ଶକ୍ତି ବ୍ୟବହାର ହେଉଛି ବିଶ୍ୱରେ ବୃଦ୍ଧି ପାଉଥିବା ତାପମାତ୍ରାର ଏକ ପ୍ରମୁଖ କାରଣ। ଯାହାର ପ୍ରଭାବରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଭାରତରେ ଶକ୍ତି ସଂରକ୍ଷଣ ଆଇନ, ୨୦୦୧ ଶକ୍ତି ଦକ୍ଷତା ବ୍ୟୁରୋ (ବିଇଇ)ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। ଶକ୍ତି ଦକ୍ଷତା ବ୍ୟୁରୋ ହେଉଛି ଏକ ସାମ୍ବିଧାନିକ ସଂସ୍ଥା ଯାହା ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରେ ଏବଂ ଶକ୍ତି ବ୍ୟବହାରକୁ ହ୍ରାସ କରିବା ପାଇଁ ନୀତି ତଥା ରଣନୀତିର ବିକାଶରେ ସାହାଯ୍ୟ କରେ।

Share