ଭାରତରେ ଜଣେ ସାଧାରଣ ଲୋକଙ୍କୁ ଏକ ନିୟୁତ ଡଲାର ରୋଜଗାର କରିବାକୁ ଲାଗିବ ୧୪୮ ବର୍ଷ: ରିପୋର୍ଟ…

ନୂଆଦିଲ୍ଲୀ,୩୧।୭ : ଭାରତର ଜଣେ ସାଧାରଣ କର୍ମଚାରୀ ଭାବରେ କୋଟିପତି ହେବାକୁ କେତେ ବର୍ଷ ଲାଗିବ? ଯଦି ଏହି ପ୍ରଶ୍ନ ପଚରାଯାଏ, ତେବେ ଉତ୍ତର କ’ଣ ହେବ? ୫ ବର୍ଷ, ୧୦ ବର୍ଷ, କିମ୍ବା ବୋଧହୁଏ ୨୫ ବର୍ଷ ଅବା ୫୦ ବର୍ଷ? ଏହାର ଉତ୍ତର ଦେବାକୁ ଅଧିକାଂଶ ସମର୍ଥ ହୋଇ ନ ପାରନ୍ତି। ଏକ ଅଧ୍ୟୟନରେ ଏକ ଆଶ୍ଚର୍ଯ୍ୟଜନକ ବିଷୟ ସାମ୍ନାକୁ ଆସିଛି। ଭାରତରେ ଜଣେ ସାଧାରଣ କର୍ମଚାରୀଙ୍କ ପାଇଁ ଏତେ ଟଙ୍କା ରୋଜଗାର କରିବାକୁ କେତେ ସମୟ ଲାଗିବ ସେ ବିଷୟରେ କୌଣସି ବ୍ୟକ୍ତି ଅନୁମାନ କରିପାରନ୍ତି ନାହିଁ। ଇ-କମର୍ସ ପ୍ଲାଟଫର୍ମ ପିକୋଡି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଭାରତରେ ଏକ ନିୟୁତ ଡଲାର ରୋଜଗାର କରିବାକୁ ପାଇବାକୁ ଜଣେ ସାଧାରଣ ଲୋକଙ୍କୁ ୧୪୮ ବର୍ଷ ଲାଗିବ। ଯାହାର ପରିମାଣ ଭାରତୀୟ ମୁଦ୍ରାରେ ପ୍ରାୟ ୮.୨୨ କୋଟି ଟଙ୍କା ହେବ।

ଅବଶ୍ୟ ଏହା ଶୁଣି ଭାରତୀୟମାନେ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଅଧ୍ୟୟନରେ ଏହା ହିଁ ବାହାରିଛି। ଭାରତର ଜିଡିପି ଦ୍ରୁତ ଗତିରେ ବଢୁଥାଇପାରେ କିନ୍ତୁ ମୁଣ୍ଡପିଛା ଆୟ ପ୍ରାୟ ୧୩୦ ଦେଶ ପଛରେ ରହିଛି। ଏହାର ଫଳାଫଳ ହେଉଛି ଭାରତରେ ୧ ମିଲିୟନ ଡଲାର ରୋଜଗାର କରିବାକୁ ୧୪୮ ବର୍ଷ ୫ ମାସ ଲାଗିବ । ଏହା ଏକ ହାରାହାରି ସମୟ। ଅଧ୍ୟୟନ ଆଧାରରେ ପ୍ରସ୍ତୁତ ଏହି ତାଲିକାରେ ଭାରତ ୬୨ ତମ ସ୍ଥାନରେ ରହିଛି। ଏହି ଅଧ୍ୟୟନ ପାଇଁ, ଭାରତରେ ଜଣେ କର୍ମଚାରୀଙ୍କ ହାରାହାରି ମାସିକ ଦରମା ୪୬,୧୮୮ ଟଙ୍କା ବା ୫୬୨ ଡଲାର ଭାବରେ ନିଆଯାଇଛି ।

ଏହି ସର୍ଭେରେ ୧୦୨ ଦେଶକୁ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ହାରାହାରି ମାସିକ ନିଟ ବେତନ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଥିରେ ସ୍ବିଜରଲାଣ୍ଡ ଶୀର୍ଷରେ ରହିଛି। ଅଧ୍ୟୟନ ଅନୁଯାୟୀ, ସ୍ବିଜରଲାଣ୍ଡର ନାଗରିକମାନେ ଏହି ପରିମାଣ ଡଲାର ରୋଜଗାର ପାଇଁ ୧୪ ବର୍ଷ ଏବଂ ତିନି ମାସ ନେବେ। ଏହି ତାଲିକାରେ ଚାଇନା ୪୨ ତମ ସ୍ଥାନରେ ରହିଛି। ସେଠାକାର ନାଗରିକମାନେ ଭାରତର ୭୧ ବର୍ଷ ପୂର୍ବରୁ ଅର୍ଥାତ ୭୮ ବର୍ଷ ଏବଂ ୯ ମାସରେ ୧ ମିଲିୟନ ଡଲାର ରୋଜଗାର କରିବାକୁ ସକ୍ଷମ ହେବେ। ଭାରତ ଏବଂ ବ୍ରିଟେନ ମଧ୍ୟରେ ୧୨୦ ବର୍ଷର ପାର୍ଥକ୍ୟ ଅଛି। ୨୯ ବର୍ଷ ୯ ମାସ ସହିତ ଏହି ତାଲିକାରେ ବ୍ରିଟେନ ୧୭ ତମ ସ୍ଥାନରେ ରହିଛି। ସମାନ ପରିମାଣ ଡଲାର ରୋଜଗାର ପାଇଁ ପାକିସ୍ତାନରେ ୬୨୧ ବର୍ଷ ୩ ମାସ ଲାଗିବ ।

ସେହିପରି ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ସିଙ୍ଗାପୁରରେ ଏଥିପାଇଁ ୧୬ ବର୍ଷ ୧୧ ମାସ, ଲକ୍ସେମବର୍ଗରେ ୧୭ ବର୍ଷ ୪ ମାସ, ଆମେରିକାରେ ୧୯ ବର୍ଷ ୧୦ ମାସ, ଆଇସଲାଣ୍ଡରେ ୨୦ ବର୍ଷ ୧୧ ମାସ, କତାରରେ ୨୧ ବର୍ଷ ୩ ମାସ, ୟୁଏଇରେ ୨୩ ବର୍ଷ ୯ ମାସ, ଅଷ୍ଟ୍ରେଲିଆରେ ୨୪ ବର୍ଷ ୩ ମାସ, ଡେନମାର୍କରେ ୨୪ ବର୍ଷ ୬ ମାସ ଏବଂ ନେଦରଲାଣ୍ଡରେ ୨୪ ବର୍ଷ ୯ ମାସ ସମୟ ଲାଗିବ।

 

Share