ଚେନ୍ନାଇ, ୮।୫: ତାମିଲନାଡୁରେ କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ୧୪ ଦିନିଆ ଲକ୍ଡାଉନ ଘୋଷଣା କରିଛନ୍ତି। ମେ’ ୧୦ରୁ ୨୪ ପର୍ଯ୍ୟନ୍ତ ତାଲାବନ୍ଦ ଜାରି ରହିବ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଡିଏମ୍କେ ନେତା ଏମ୍.କେ. ଷ୍ଟାଲିନଙ୍କ ଏହା ଏକ ବଡ଼ ନିଷ୍ପତ୍ତି। ଲକ୍ଡାଉନ ସମୟରେ ପରିବା, ତେଜରାତି, ମାଛ, ମାଂସ ଦୋକାନ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। ମଦ ଦୋକାନ ବନ୍ଦ ରହି ଥିବାବେଳେ ରେଷ୍ଟୁରାଣ୍ଟଗୁଡ଼ିକରେ କେବଳ ଖାଦ୍ୟ ପାର୍ସଲ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ଲକ୍ଡାଉନ ବେଳେ ପେଟ୍ରୋଲ ପମ୍ପ ଖୋଲା ରହିବା ସହ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ।