Categories: ଫୁରସତ

ଝିଅ ଆଶାରେ ୯ ପୁଅ ଜନ୍ମ

ଅଷ୍ଟିନ: ଝିଅ ଜନ୍ମକୁ ଲୋକେ ଘରେ ଲକ୍ଷ୍ମୀଙ୍କ ଆଗମନ ବୋଲି ମଣିଥାନ୍ତି। ହେଲେ ବର୍ତ୍ତମାନ ବହୁତ କମ୍‌ ଲୋକ ଏହା ବିଶ୍ୱାସ କରନ୍ତି। ଅଧିକାଂଶ ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ଖବର ଶୁଣିବାକୁ ମିଳିଥାଏ। ହେଲେ ଏକ ଦମ୍ପତି କନ୍ୟାସନ୍ତାନ ପାଇଁ ଆଶା ବାନ୍ଧି ବସିଛନ୍ତି। ଏହି ଆଶାରେ ସେ ୯ ପୁଅଙ୍କୁ ଜନ୍ମ ଦେଇସାରିଲେଣି। ମହିଳା ଜଣକ ଏବେ ପୁନଃ ଗର୍ଭବତୀ ଅଛନ୍ତି। ସୂଚନା ମୁତାବକ, ଟେକ୍ସାସ୍‌ର ବାସିନ୍ଦା ୩୦ ବର୍ଷୀୟା ୟାଲାନସିଏ ରୋସାରିଓ ୯ ବର୍ଷରେ ୯ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ସେ ପୁଣି ଦୁଇ ଯାଆଁଳାଙ୍କୁ ଗର୍ଭରେ ଧାରଣ କରିଛନ୍ତି। ଏବର୍ଷ ସେମାନଙ୍କ ଏକ ଝିଅ ଜନ୍ମ ହେବ ବୋଲି ଆଶା ରଖିଛନ୍ତି। ତାଙ୍କ ସ୍ବାମୀ ମାଇକେଲଙ୍କ କହିବା ମୁତାବକ, ସେମାନଙ୍କୁ ଏକ ଝିଅ ଦରକାର। ଯେ ପର୍ଯ୍ୟନ୍ତ ତାଙ୍କର ଏକ ଝିଅ ନ ହୋଇଛି, ସେ ପର୍ଯ୍ୟନ୍ତ ସେମାନେ ଜନ୍ମ କରୁଥିବେ। ତାଙ୍କର ବଡ଼ ପୁଅକୁ ବର୍ତ୍ତମାନ ୧୨ ବର୍ଷ ହୋଇଥିବାବେଳେ ସବୁଠୁ ସାନ ପୁଅକୁ ୨ ମାସ ହୋଇଛି। ଏନେଇ ସେ ତାଙ୍କ ସୋସିଆଲ ମିଡିଆରେ ବହୁତ ସାରା ଫଟୋ ମଧ୍ୟ ଶେୟାର କରିଛନ୍ତି। ରୋସାରିଓ ୧୮ ବର୍ଷ ବୟସରେ ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ। ଏହା ପରଠାରୁ ସେ ସନ୍ତାନ ଜନ୍ମ କରିଆସୁଥିବା କହିଛନ୍ତି। ଏହା ମଧ୍ୟରେ ତାଙ୍କର ଥରେ ଗର୍ଭପାତ ମଧ୍ୟ ହୋଇଥିଲା। ଏନେଇ ସୋସିଆଲ ମିଡିଆରେ ଅନେକ ତାଙ୍କର ମଜା ଉଠାଉଛନ୍ତି। ହେଲେ ସେମାନଙ୍କ କଥାକୁ ଖାତିର କରୁ ନ ଥିବା ସେ କହିଛନ୍ତି। ଏଥିସହ ତାଙ୍କ ପାଖରେ ପିଲାଙ୍କୁ ପାଳିବାକୁ ଯଥେଷ୍ଟ ଟଙ୍କା ଥିବା କହିଛନ୍ତି।

Share