ରାଜନଗର,୨୧ା୫(ଡି.ଏନ.ଏ.): ଜଳଧର ଦାସ, ବୟସ ୮୦। ସ୍ତ୍ରୀ ବାସନ୍ତୀ ଦାସ ବୟସ ୭୫। ବୟସର ଅପରାହ୍ନରେ ପାଦ ଥାପି ସାରିଲେଣି ଦୁହେଁ। ଜଳଧର ଜନ୍ମରୁ କୁଜ୍ଜା। କୁଜ୍ଜା ହେଲେ ବି ଜୀବନ ଯନ୍ତ୍ରଣାକୁ ଭ୍ରୁକ୍ଷେପ ନ କରି କାମ ଧନ୍ଦା କରି ପେଟ ପୋଷୁଥିଲେ। ପରିବାର ଚଳାଉଥିଲେ। ବାସନ୍ତୀଙ୍କ ଆଖିକୁ ଆଉ ଭଲ ଦିଶୁନି। ଦୁହିଁଙ୍କ ଆଶା ଭରଷା ହେଉଛି ବାଉଁଶରେ ତିଆରି ଆଶାବାଡ଼ି। ଯୁଆଡେ ଯାଆନ୍ତି, ଦୁହେଁ ପରସ୍ପରକୁ ଧରି ବାଟ ଚାଲନ୍ତି। ଗାଁରେ ଥିବା ଭିଟାମାଟି ହରାଇ ଏବେ ରାଜନଗର-ପଟ୍ଟାମୁଣ୍ଡାଇ ତଳ ସଂଯୋଗ ରାସ୍ତାର ପଞ୍ଚମୁଖୀ ହନୁମାନ ମନ୍ଦିର ପାଖରେ ସରକାରୀ ଜାଗାରେ ପଲିଥିନ ଘେରା କୁଡ଼ିଆରେ ରହୁଛନ୍ତି। ବୋଧହୁଏ ଏହା ହେଉଛି ସେମାନଙ୍କ ପାଇଁ ଶେଷ ଠିକଣା।
ସେହି ଘରେ କବାଟ ନାହିଁ କି ଝରକା। ଛୋଟ ଅଖା ଟାଣି କୁଡିଆରେ ଆଶ୍ରୟ ନିଅନ୍ତି ଜଳଧର ଓ ବାସନ୍ତୀ। ପିଲାଛୁଆ ତ ତାଙ୍କ କୋଳକୁ ଠାକୁର ଦେଇ ନାହାଁନ୍ତି। ତଥାପି ଭାଗ୍ୟ, ଭଗବାନକୁ ଆଶ୍ରା କରି ବଞ୍ଚତ୍ ରହିଛନ୍ତି ଦୁହେଁ। ଅଭାବ, ଅନାଟନ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ଅସରନ୍ତି ଦୁଃଖ ସେମାନଙ୍କୁ ନିରାଶ କରିଛି। ମାସିକ ୫ଶହ ଲେଖାଏଁ ଭତ୍ତା ଟଙ୍କା ହିଁ ଦୁହିଁଙ୍କ ଭରସା ସାଜିଛି। କେନ୍ଦ୍ର ଓ ରାଜ୍ୟ ସରକାର ଅସଂଖ୍ୟ ଯୋଜନା ଗରିବ ଗୁରୁବାଙ୍କ ପାଇଁ ଯୋଗାଇ ଦେଉଥିବା ବେଳେ ଏହି ଦମ୍ପତି ପାଇଁ ସେ ସବୁ ସାତ ସପନ ହୋଇଛି। ସରକାର ପରେ ନୂଆ ସରକାର ଶପଥ ନେଉଛନ୍ତି। ସରପଞ୍ଚ ପରେ ନୂଆ ସରପଞ୍ଚ ଭୋଟ ପାଇ ଆସୁଛନ୍ତି। ହେଲେ ଜଳଧର, ବାସନ୍ତୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିନାହିଁ ା ସେଥିପାଇଁ ସେମାନେ କୌଣସି ଆବାସ ଯୋଜନାରେ ସାମିଲ ହୋଇପାରିନାହାନ୍ତି। ବୟସ ଥିବା ବେଳେ ପର ଘରେ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ତେଲ ଲୁଣର ସଂସାର ଚାଲୁଥିଲା । ଏବେ ସେମାନେ ଆଉ ପାରୁ ନାହାଁନ୍ତି। କିଏ ଜାଣିଛି ଆମେ ଆଉ କେତେଦିନ ବଞ୍ଚତ୍ବୁ। ପୁଅ,ଝିଅ ନ ଥିବାରୁ ଆମେ କେବଳ ଅନ୍ୟର ହାତଟେକା ସହାୟତାକୁ ଅପେକ୍ଷା କରିଛୁ ବୋଲି ଦୁହେଁ କହିଛନ୍ତି। ଶୁକ୍ରବାର ଥିବା ସାବିତ୍ରୀ ବ୍ରତ। ଏ ସମ୍ପର୍କରେ ବାସନ୍ତୀଙ୍କୁ ପଚାରିବାରୁ ମୁଁ ବୋହୂ ହୋଇ ଆସିବା ବେଳେ ତ ଏ ସବୁ ଫାର୍ସ ନ ଥିଲା। ମୋ ସ୍ବାମୀ ମୋ ପାଇଁ ଇହକାଳ, ପରକାଳର ଦେବତା। ତାଙ୍କ ପାଦ ତଳେ ସକାଳୁ ଉଠି ମୁଁ ପ୍ରତିଦିନ ମୁଣ୍ଡିଆ ମାରେ। ସେଥିପାଇଁ ମୁଁ ସବୁଦିନ ସାବିତ୍ରୀ ବ୍ରତ କରେ ବୋଲି ବାସନ୍ତୀ କହିଛନ୍ତି।