ଡିସେମ୍ବର ୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଭାରତୀ-ହର୍ଷ

ମୁମ୍ବାଇ,୨୨ ।୧୧: ଡ୍ରଗ୍ସ ମାମଲାରେ କମେଡିଆନ୍ ଭାରତି ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ରବିବାର କୋର୍ଟରେ ହାଜର ହୋଇଥିଲେ । ଏବେ ସେମାନଙ୍କୁ କୋର୍ଟ ଡିସେମ୍ବର ୪ ପର୍ଯ୍ୟନ୍ତ ଅର୍ଥାତ୍ ୧୪ ଦିନିଆ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦେଇଛନ୍ତି । ତେଣୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହି ଦମ୍ପତି ଜେଲରେ ରହିବେ ବୋଲି ଜଣାପଡିଛି । ଅନ୍ୟପଟେ ଏହି ଦମ୍ପତି ଜାମିନ ପାଇଁ ଆବେଦନ କରିଥିବା ବେଳେ ଏହାର ଶୁଣାଣି ସୋମବାର ହେବ । ସୂଚନାଯୋଗ୍ୟ, ବଲିଉଡ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ରବିବାର କମେଡିଆନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା । ତାଙ୍କୁ ଗିରଫ କରିବା ପୂର୍ବରୁ ଯାଞ୍ଚ ଏଜେନ୍ସି ପାଖାପାଖି ୧୫ ଘଣ୍ଟା ପଚରା ଉଚରା କରିଥିଲା । ଏହାପୂର୍ବରୁ ଶନିବାର ଏନ୍‌ସିବି ଭାରତୀ ସିଂଙ୍କ ପ୍ରଡକଶନ ଅଫିସ ଓ ଘରେ ଚଢାଉ କରିଥିଲା ଓ ଯାଞ୍ଚ ସମୟରେ ୮୬.୫ ଗ୍ରାମ ଗଞ୍ଜେଇ ମଧ୍ୟ ଭାରତୀଙ୍କ ଘରୁ ଜବତ କରାଯାଇଥିଲା । ଏହି ଆଧାରରେ ଭାରତୀଙ୍କୁ ପ୍ରଥମେ ଗିରଫ କରାଯାଇଥିଲା ଓ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଯାଇଥିଲା । ଜେରା ସମୟରେ ଉଭୟ ଗଞ୍ଜେଇ ସେବନ କରିବା କଥା ମାନିଥିଲେ ବୋଲି ଜଣାପଡିଛି ।

Share