ଭାଲଚନ୍ଦ୍ର ଷଡ଼ଙ୍ଗୀ
ଅଭିଯୁକ୍ତର ଚିହ୍ନଟ ନାଁରେ କେନ୍ଦ୍ରର ମୋଦି ସରକାର ଇତିମଧ୍ୟରେ ଏକ ବିପଜ୍ଜନକ ବିଲ୍ ଆଣିଛନ୍ତି। ଗତ ମାର୍ଚ୍ଚ ୨୮ରେ ‘ଦଣ୍ଡ ପ୍ରକ୍ରିୟା (ଚିହ୍ନଟ) ବିଲ୍ ୨୦୨୨’ ବା ”Criminal Procedure (Identification) Bill, 2022“ ନାମରେ ପରିଚିତ ଏହି ବିଲ୍କୁ ସର୍ବପ୍ରଥମେ ଲୋକ ସଭାରେ ଆଗତ କରାଯାଇଥିଲା। ପରେ ଗତ ଏପ୍ରିଲ ୪ରେ ପ୍ରଥମେ ଲୋକ ସଭାରେ ଏବଂ ତା’ର ଦୁଇ ଦିନ ପରେ ରାଜ୍ୟ ସଭାରେ ସରକାର ଏହାକୁ ଗୃହୀତ କରାଇବାରେ ସକ୍ଷମ ହୋଇଛନ୍ତି।
ଏହି ବିଲ୍ ଫଳରେ ଦେଶର ସାଧାରଣ ଜନତାଙ୍କ ମାନବିକ ଅଧିକାର ଓ ସାମ୍ବିଧାନିକ ଅଧିକାରର ଖୋଲାଖୋଲି ଉଲ୍ଲଂଘନ ହେବାକୁ ଯାଉଥିବାରୁ କେବଳ ୱାଇଏସ୍ଆର୍ କଂଗ୍ରେସକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିରୋଧୀ ଦଳ ନିଜର ବିରୋଧ ପ୍ରକଟ କରିବା ଦେଖାଯାଇଛି। ତେବେ ସରକାର ସଂସଦୀୟ ପରମ୍ପରା ଅନୁଯାୟୀ ବିଲ୍କୁ ଆଗତ କରିବା ପୂର୍ବରୁ ତା’ଉପରେ ସର୍ବସାଧାରଣଙ୍କ ମତାମତ ପାଇଁ କୌଣସି ଆହ୍ବାନ କରିନାହାନ୍ତି। ବରଂ ସଂସଦରେ ନିଜର ସଂଖ୍ୟାଗରିଷ୍ଠତା ବଳରେ ବିରୋଧୀ ଦଳଙ୍କ ପ୍ରତିବାଦକୁ ଅଣଦେଖା କରି ବାଚନିକ ଭୋଟରେ ଏହାକୁ ଗୃହୀତ କରାଇବା ସହ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଇ ଦେଇଛନ୍ତି। ତେବେ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇ ଥରେ ଏହା ଆଇନରେ ପରିଣତ ହୋଇଗଲେ ଦେଶର ସାଧାରଣ ଜନତାଙ୍କ ମାନବିକ ଅଧିକାର ଅଧିକ ସଙ୍କୁଚିତ ହେବା ସହ ରାଷ୍ଟ୍ର ଓ ସରକାରକୁ ଅଧିକ ଶକ୍ତି ପ୍ରଦାନ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ପୂର୍ବରୁ ଦେଶର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଦମନ କରିବାକୁ ତଥା ସେମାନଙ୍କ ଉପରେ ସରକାରୀ ନଜରଦାରିକୁ ବଢ଼ାଇବା ପାଇଁ ବ୍ରିଟିଶ ଉପନିବେଶବାଦୀ ଶାସକମାନେ ବନ୍ଦୀ ଚିହ୍ନଟ ଆଇନ-୧୯୨୦ର ପ୍ରଣୟନ କରିଥିଲେ। ଏଥିରେ କୌଣସି ଅଭିଯୁକ୍ତର ଫଟୋ, ଆଙ୍ଗୁଠି ଓ ପାପୁଲିର ଛାପ ସଂଗ୍ରହ କରିବାକୁ ପୋଲିସକୁ କ୍ଷମତା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ବର୍ତ୍ତମାନର ବିଲ୍ଟି ଆଇନରେ ପରିଣତ ହେଲେ, ୧୯୨୦ର ଆଇନର ସ୍ଥାନ ଅକ୍ତିଆର କରିବ। କିନ୍ତୁ ପରିତାପର ବିଷୟ ହେଲା, ସ୍ବାଧୀନତାର ୭୫ ବର୍ଷ ପରେ ସରକାର ଖୋଦ୍ ନିଜ ନାଗରିକଙ୍କ ବିରୋଧରେ ହିଁ ବ୍ରିଟିଶମାନେ ଆଣିଥିବା ଆଇନଠାରୁ ଆହୁରି କଠୋର ଆଇନ ପ୍ରୟୋଗ କରିବାକୁ ଚାହୁଁଛନ୍ତି। ପୁରୁଣା ଆଇନ ତୁଳନାରେ ଏଥିରେ ନାଗରିକମାନଙ୍କ ଅଧିକ ବ୍ୟକ୍ତିଗତ ତଥ୍ୟକୁ ସଂଗ୍ରହ କରାଯିବାର ବ୍ୟବସ୍ଥା ରହିବା ସହିତ କମ୍ ପ୍ରତିଷେଧକ ବ୍ୟବସ୍ଥା ରହିଛି। ଏଥିରେ ଯେକୌଣସି ଗିରଫ କିମ୍ବା ଅଟକ ରହିଥିବା ବ୍ୟକ୍ତି ଅଥବା ଦଣ୍ଡ ପାଇଥିବା ବ୍ୟକ୍ତିର ଆଙ୍ଗୁଠିର ଛାପ ଓ ପାଦର ଛାପଠାରୁ ଆରମ୍ଭ କରି ଆଖିର ରେଟିନାର ସ୍କାନିଂ, ଜୈବିକ ନମୁନା ସଂଗ୍ରହ, ଶରୀରର ମାପ ଏବଂ ଅନ୍ୟ ବ୍ୟକ୍ତିଗତ ତଥ୍ୟକୁ ସଂଗ୍ରହ କରିବାକୁ ତଥା ୭୫ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ପୋଲିସ ଓ ଜେଲ ଅଧିକାରୀଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ପୂର୍ବ ଆଇନରେ ଜଣେ ସବ୍ଇନ୍ସପେକ୍ଟର କିମ୍ବା ଜେଲ ଅଧିକାରୀ ନମୁନା ନେବାର ବ୍ୟବସ୍ଥା ରହିଥିବା ବେଳେ ବର୍ତ୍ତମାନର ବିଲ୍ରେ ହେଡ୍ କନଷ୍ଟେବଲ ଅଥବା ଜେଲର ହେଡ୍ ୱାର୍ଡେନଙ୍କୁ ଏଥିପାଇଁ କ୍ଷମତା ପ୍ରଦାନ କରାଯାଇଛି।
ଉଦ୍ବେଗର କଥା ହେଲା, ବିଲ୍ର ଧାରା ୩ରେ ଚିହ୍ନଟ କରିବାକୁ ଥିବା ବ୍ୟକ୍ତିର ସଂଜ୍ଞାକୁ ଅଧିକ ବ୍ୟାପକ କରି ଅଧିକ ଲୋକଙ୍କୁ ତା’ର ପରିସରଭୁକ୍ତ କରାଯାଇଛି। ବର୍ତ୍ତମାନର ଆଇନରେ ପୋଲିସ କେବଳ ଅଭିଯୁକ୍ତ, ଜାମିନ ପାଇଥିବା ଦୋଷୀ ଏବଂ ଜଘନ୍ୟ ଅପରାଧରେ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କର ହିଁ ତଥ୍ୟ ସଂଗ୍ରହ କରୁଥିବା ବେଳେ ସଂଶୋଧିତ ଆଇନରେ ପୂର୍ବରୁ ଦଣ୍ଡ ପାଇଥିବା ଲୋକଙ୍କର ବି ତଥ୍ୟ ସଂଗ୍ରହ କରିପାରିବ ବୋଲି କୁହାଯାଇଛି। ଏହାବ୍ୟତୀତ କୌଣସି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ଏପରିକି ସିଆର୍ପିସିର ଧାରା ୧୧୭ ଅନ୍ତର୍ଗତ ଶାନ୍ତି ବଜାୟ ରଖିବା ପାଇଁ ଭଲ ବ୍ୟବହାରର ପ୍ରତିଶ୍ରୁତିରେ ଜାମିନ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବି ଏହି ବ୍ୟବସ୍ଥା ଲାଗୁହେବ ବୋଲି କୁହାଯାଇଛି। କେବଳ ମହିଳା ଓ ଶିଶୁମାନଙ୍କ ବିରୋଧରେ ହୋଇଥିବା ଆପରାଧିକ ମାମଲାକୁ ଛାଡ଼ି ଅନ୍ୟ ଯେଉଁସବୁ ମାମଲାରେ ସାତ ବର୍ଷରୁ କମ୍ ଦଣ୍ଡର ବ୍ୟବସ୍ଥା ରହିଛି, ତା’ର ଅଭିଯୁକ୍ତମାନେ ହିଁ ନିଜର ଜୈବିକ ନମୁନା ଦେବାକୁ ମନା କରିପାରିବେ ବୋଲି କୁହାଯାଇଛି। ରାଜ୍ୟଗୁଡ଼ିକ ଦ୍ୱାରା ସଂଗୃହୀତ ଉପରୋକ୍ତ ତଥ୍ୟକୁ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ନିକଟରେ ରଖାଯିବ ଏବଂ ତାକୁ ସଂରକ୍ଷିତ ରଖିବା ଅଥବା ନଷ୍ଟ କରିବାର କ୍ଷମତା ବ୍ୟୁରୋ ପାଖରେ ରହିବ ବୋଲି କୁହାଯାଇଛି।
ବିଲ୍ର ଧାରା -୫ରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି। କେବଳ ସେ ହିଁ ଜଣେ ବ୍ୟକ୍ତିକୁ ଚିହ୍ନଟ ପାଇଁ ନିଜର ନମୁନା ଦେବାକୁ ନିର୍ଦ୍ଦେଶ ଦେଇପାରିବେ ବୋଲି କୁହାଯାଇଛି। ଅପରାଧ ଯେତେ ଛୋଟ ହୋଇଥିଲେ ବି ଅଥବା କୌଣସି ଅପରାଧରେ ସମ୍ପୃକ୍ତି ନେଇ ପ୍ରଥମ ଦୃଷ୍ଟିରେ ପ୍ରମାଣ (Prime Facie Evidence) ନଥିଲେ ବି ମାଜିେ୍ଷ୍ଟ୍ରଟ ନିଜର ଇଚ୍ଛାମତେ ଜଣେ ବ୍ୟକ୍ତିକୁ ଚିହ୍ନଟ କରିବା ପାଇଁ ତା’ର ଦେହର ନମୁନା ଦେବାକୁ ବାଧ୍ୟ କରିପାରନ୍ତି। ଜାତୀୟ ଆଇନ କମିଶନଙ୍କ ୮୭ତମ ରିପୋର୍ଟରେ ମଧ୍ୟ ବିଲ୍ର ଏହି ଧାରା – ୫କୁ ନେଇ ଆଶଙ୍କା ପ୍ରକଟ କରାଯାଇଛି।
ବିଲ୍ର ଧାରା-୬ରେ ପୋଲିସ ଜଣେ ବ୍ୟକ୍ତିର ଦେହର ଜୈବିକ ନମୁନାକୁ ବଳପୂର୍ବକ ସଂଗ୍ରହ କରିବାକୁ ଆଇନସମ୍ମତ କରିଦିଆଯାଇଛି। ଏହା ସମ୍ବିଧାନର ଧାରା ୨୦(୩)ରେ ପ୍ରଦତ୍ତ ଆତ୍ମ ଦୋଷାରୋପ ବିରୋଧୀ ଅଧିକାରକୁ ଉଲ୍ଲଂଘନ କରୁଛି। ୧୯୨୦ର ଆଇନକୁ ଉଚ୍ଛେଦ କରି ଏହି ବିଲ୍ ଆଣିବା ପଛରେ ସରକାରଙ୍କ ଯୁକ୍ତି ହେଲା ଯେ ଗତ ୧୦୨ ବର୍ଷ ମଧ୍ୟରେ ଅପରାଧର ପ୍ରକୃତିରେ ଅନେକ ପରିବର୍ତ୍ତନ ଆସିଛି, ଅତଏବ ଆଇନରେ ସଂଶୋଧନ ଜରୁରୀ। ତେଣୁ ପୋଲିସ ପାଖରେ ଅପରାଧୀ ଅଥବା ଅଭିଯୁକ୍ତମାନଙ୍କ ସବୁ ପ୍ରକାରର ଡାଟା ଉପଲବ୍ଧ ହେବା ଦରକାର। ଏହାଦ୍ୱାରା ଅପରାଧର ତଦନ୍ତ କରିବା ଏବଂ ପ୍ରମାଣ ଯୋଗାଡ଼ କରିବା କୁଆଡ଼େ ସହଜ ହୋଇଯିବ। କିନ୍ତୁ ଅପରାଧୀମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ଆଳରେ ସରକାରଙ୍କ ଏହିଭଳି ପଦକ୍ଷେପ ପ୍ରକୃତରେ ନାଗରିକ ସ୍ବାଧୀନତା ଉପରେ ଆକ୍ରମଣ ବୋଲି କୁହାଯାଇପାରେ। ଏହାପୂର୍ବରୁ ବି ଆତଙ୍କବାଦର ମୁକାବିଲା, ଦେଶର ସୁରକ୍ଷା ନାଁରେ ତଥା ବଳାତ୍କାର ପରି ଜଘନ୍ୟ ଅପରାଧକୁ ରୋକିବା ନାଁରେ ଅନେକ କଠୋର ଆଇନ ତିଆରି ହୋଇଛି। କିନ୍ତୁ ତାହାଦ୍ୱାରା ଦେଶରେ ନା ଅପରାଧର ହାର କମିଛି ନା ଅପରାଧୀଙ୍କ ମନରେ ଭୟ ସୃଷ୍ଟି ହୋଇଛି।
ଚିହ୍ନଟ ନାଁରେ ଅପରାଧୀ ଓ ଅନ୍ୟ ଅଭିଯିୁକ୍ତମାନଙ୍କ ଶରୀରର ଜୈବିକ ନମୁନା ସଂଗ୍ରହ କରିବା ଏବଂ ତାକୁ ସାଇତି କରିବାର ଏହି ପ୍ରକ୍ରିୟାଟି ଦେଶର ସମ୍ବିଧାନର ଧାରା ୧୪,୧୯ ଓ ୨୧ରେ ଦିଆଯାଇଥିବା ମାନବିକ ଅଧିକାର ଓ ନାଗରିକ ସ୍ବାଧୀନତା ଅଧିକାରର ବିରୁଦ୍ଧାଚରଣ କରୁଛି। ଏହା ସହିତ ଆମ ଦେଶରେ କୌଣସି ଡାଟା ସୁରକ୍ଷା ଆଇନ ନ ଥିବାରୁ ସରକାରଙ୍କ ଦ୍ୱାରା ନାଗରିକଙ୍କ ଡାଟା ସୁରକ୍ଷାକୁ ନେଇ ଘୋର ସନ୍ଦେହ ରହିଛି। କାରଣ ଭୁଲ ହାତରେ ପଡ଼ିଲେ ତା’ର ଭୟଙ୍କର ଦୁରୁପଯୋଗ ହେବାର ସମ୍ଭାବନା ରହିଛି। କୌଣସି ବ୍ୟକ୍ତି ବିରୋଧରେ ସାଇବର ଅପରାଧ ପାଇଁ ବି ଏହାର ବ୍ୟବହାର ହେବାର ସମ୍ଭାବନା ରହିଛି। ଡାଟା ସୁରକ୍ଷାର ଯେଉଁ ଚିନ୍ତା ଅତୀତରେ ଆଧାର କାର୍ଡ ଓ ଆରୋଗ୍ୟ ସେତୁ ଆପ୍ ନେଇ ବିଶେଷଜ୍ଞମାନେ ବ୍ୟକ୍ତ କରୁଥିଲେ, ସେହି ଏକା ଚିନ୍ତା ଏହି ବିଲ୍କୁ ନେଇ ରହିଛି।
କେବଳ ଅପରାଧୀ ନୁହନ୍ତିି, ପ୍ରତିଷେଧମୂଳକ ଅଟକ ହେଉଥିବା ବ୍ୟକ୍ତି ଏପରିକି କେବଳ ସନ୍ଦେହର ଆଧାରରେ ଜଣେ ନାଗରିକର ଶାରୀରିକ ଓ ଅନ୍ୟ ବ୍ୟକ୍ତିଗତ ତଥ୍ୟକୁ ସଂଗ୍ରହ କରାଯିବାର ଯେଉଁ ବ୍ୟବସ୍ଥା ବିଲ୍ରେ ରହିଛି, ତାହା ଅତ୍ୟନ୍ତ ବିପଜ୍ଜନକ। ବିଲ୍ର ଅପବ୍ୟବହାରରୁ ଜଣେ ବ୍ୟକ୍ତି ନିଜକୁ ସୁରକ୍ଷିତ ରଖିବାକୁ ବିଲ୍ରେ କୌଣସି ପ୍ରତିଷେଧକ ବା ଚେକ୍ ଆଣ୍ଡ ବାଲାନ୍ସର ବ୍ୟବସ୍ଥା ନାହିଁ। ଏହି କାରଣରୁ ଦଣ୍ଡ ପ୍ରକ୍ରିୟା ସଂହିତାରେ ଯେଉଁ ସଂଶୋଧନ ହେଉଛି, ତାରି ଫଳରେ ତା’ର ଦୁରୁପଯୋଗ ବଢ଼ିବ ବୋଲି ବିରୋଧୀ ଦଳମାନେ ଏବଂ ସଂସଦ ବାହାରେ ଦେଶର ଅନେକ ପ୍ରତିଷ୍ଠିତ ଓକିଲ, ଆଇନ ବିଶାରଦ ଏବଂ ମାନବିକ ଅଧିକାର ସଙ୍ଗଠନ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ସରକାର ଏନେଇ ଯାହା ବି ସ୍ପଷ୍ଟୀକରଣ ଦିଅନ୍ତୁ, ଖୋଦ୍ ସରକାରଙ୍କ ଦ୍ୱାରା ନିଜର ରାଜନୈତିକ ବିରୋଧୀଙ୍କୁ ଦମନ କରିବା ପାଇଁ ଏହାର ଯେ ବ୍ୟବହାର ନ ହେବ ତା’ର କୌଣସି ଗ୍ୟାରେଣ୍ଟି ନାହିଁି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭବିଷ୍ୟତରେ ଏହି ଆଇନର ଯେପରି ଅପବ୍ୟବହାର ନ ହେବ, ସେଥିପାଇଁ ଉଦ୍ୟମ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। କିନ୍ତୁ ତାଙ୍କ ସରକାରଙ୍କ ଟ୍ରାକ୍ ରେକର୍ଡ ହିଁ ଏହାର ବିପରୀତ କଥା କହୁଛି। ତାଙ୍କ ସରକାର ସମୟରେ ହିଁ ରାଜନୈତିକ ବିରୋଧୀମାନଙ୍କୁ ଦମନ ପାଇଁ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଅପପ୍ରୟୋଗ ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ଦେଶରେ ୟୁଏପିଏ, ରାଜଦ୍ରୋହ ଆଦି କଳା ଆଇନର ସର୍ବାଧିକ ଦୁରୁପଯୋଗ କରାଯାଇଛି। ୨୦୧୬-୧୯ ମଧ୍ୟରେ କେବଳ ୟୁଏପିଏ ଆଇନ ବଳରେ ୫ ହଜାରରୁ ଊର୍ଦ୍ଧ୍ୱ ମକଦ୍ଦମା ପଞ୍ଜୀକୃତ ହୋଇଥିବା ବେଳେ ୭ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଛି। ଅଥଚ ଉପରୋକ୍ତ ମାମଲାଗୁଡ଼ିକରେ କେବଳ ୨.୨% ଅଭିଯୁକ୍ତ ଦଣ୍ଡିତ ହୋଇଛନ୍ତି। ସେହିପରି ୨୦୧୪-୨୧ ମଧ୍ୟରେ ଦେଶରେ ରାଜଦ୍ରୋହ ମାମଲା ସଂଖ୍ୟା ପ୍ରତିବର୍ଷ ୨୮% ହାରରେ ବୃଦ୍ଧି ପାଇବା ଦେଖିବାକୁ ମିଳିଛି। ଏହା ସହିତ ଦେଶରେ ସରକାରଙ୍କ ନୀତି ସହ ଭିନ୍ନମତ ପୋଷଣ କରୁଥିବା ରାଜନେତା, ସାମ୍ବାଦିକ, ଲେଖକ, ସାମାଜିକ କର୍ମୀ ଓ ମାନବିକ ଅଧିକାର କର୍ମୀଙ୍କ ପ୍ରତିଷେଧମୂଳକ ଅଟକ ସଂଖ୍ୟା ମଧ୍ୟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। କଶ୍ମୀରରୁ ୩୭୦ ଉଚ୍ଛେଦର ପରେ ଏବଂ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଦେଶରେ ସର୍ବାଧିକ ଲୋକଙ୍କୁ ମାସ ମାସ ଧରି ପ୍ରତିଷେଧମୂଳକ ଅଟକ ଦେଖିବାକୁ ମିଳିଛି। ‘ଫ୍ରି ସ୍ପିଚ୍ କଲେକ୍ଟିଭ’ ସଂସ୍ଥାର ରିପୋର୍ଟ ଅନୁଯାୟୀ ଗତ ଦଶ ବର୍ଷ ମଧ୍ୟରେ ଦେଶରେ ଭିନ୍ନମତ ପାଇଁ ୧୫୪ ସାମ୍ବାଦିକଙ୍କୁ ଅଟକ କିମ୍ବା ଗିରଫ କରାଯାଇଛି। କେବଳ ୨୦୨୦ରେ ୬୭ ଜଣଙ୍କୁ ଅଟକ ରଖାଯାଇଛି। ଅତଏବ ଏଭଳି ପରିସ୍ଥିତିରେ ପ୍ରସ୍ତାବିତ ଆଇନର ଦୁରୁପଯୋଗ ଯେ ହେବ ନାହିଁ, ସେନେଇ ଗୃହମନ୍ତ୍ରୀଙ୍କ ଆଶ୍ୱାସନାକୁ କିପରି ବା ବିଶ୍ୱାସ କରାଯାଇପାରିବ!
ମୋ -୯୪୩୭୧୬୬୩୯୧