ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଆମେରିକାରେ ଗୁଳିକାଣ୍ଡ..

ଓ୍ବାଶିଂଟନ,୩।୭ : ଆମେରିକାରେ ଏବେ ଗୁଳିକାଣ୍ଡ ସାଧାରଣ ଘଟଣା ପାଲଟିଛି। ଜୁଲାଇ ୪ରେ ଆମେରିକାରେ ସ୍ବାଧୀନତା ଦିବସ ପାଳନ କରାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୭ ଜଣ ଆହତ ହୋଇଛନ୍ତି।

ଆମେରିକାର ବଲ୍ଟିମୋର ସହରରେ ଏକ ପାର୍ଟି ଚାଲିଥିବା ସମୟରେ ଗୁଳି କାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୮ ଜଣ ଆହତ ହୋଇଛନ୍ତି। ସେହିପରି ରବିବାର ସକାଳେ କାନସାସ ସହରରେ ଘଟିଥିବା ଗୁଳିକାଣ୍ଡରେ ଦଳା ଚକଟାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବଲ୍ଟିମୋର ପୋଲିସ ବିଭାଗର କାର୍ଯ୍ୟନିର୍ବାହୀ କମିଶନର ରିଚାର୍ଡ ୱର୍ଲି ଗଣମାଧ୍ୟମକୁ କହିଛନ୍ତି ଗୁଳି ବିନିମୟରେ ମୋଟ ୩୦ ଆହତ ହୋଇଥିବା ଜଣାପଡିଛି।

ରିଚାର୍ଡ ୱର୍ଲିଙ୍କ ଅନୁଯାୟୀ, ସହରର ଦକ୍ଷିଣ ଭାଗରେ ଥିବା ବ୍ରୁକଲିନ ହୋମର ଏକ ବ୍ଲକ ପାର୍ଟିରେ ରାତି ପ୍ରାୟ ୧୨ ଟା ୩୦ ସମୟରେ ଏହି ଗୁଳି କାଣ୍ଡ ଘଟିଥିଲା। ବଲ୍ଟିମୋରର ପୋଲିସ କମିଶନର କହିଛନ୍ତି ଏହି ଘଟଣାରେ ଆହତଙ୍କ ମଧ୍ୟରୁ ଅତି କମରେ ୨୦ ଜଣ ନିଜେ ଡାକ୍ତରଖାନା ଯାଇଥିଲେ। ନଅ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାର ମୁଖପାତ୍ର କହିଛନ୍ତି ମେଡଷ୍ଟାର ହାରବର୍‌ ହସ୍ପିଟାଲର ଜରୁରୀକାଳୀନ କୋଠରୀରେ ୧୯ ଜଣ ପୀଡିତଙ୍କୁ ଚିକିତ୍ସା କରାଯାଉଛି। ଏଥି ସହିତ ନଅ ଜଣ ଗୁରୁତର ଆହତଙ୍କ ଅବସ୍ଥା ସ୍ଥିର ହେବା ପରେ ସେମାନଙ୍କୁ ବଲ୍ଟିମୋର ଟ୍ରମା କେନ୍ଦ୍ରକୁ ପଠାଯାଇଛି।

ଗୁଳି କାଣ୍ଡ ପରେ ବଲ୍ଟିମୋର ମେୟର ବ୍ରେଣ୍ଡନ ସ୍କଟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ସେ ପଳାତକ ଆକ୍ରମଣକାରୀଙ୍କୁ ଖୋଲା ଚେତାବନୀ ଦେଇ କହିଥିଲେ ଆକ୍ରମଣକାରୀ ନ ମିଳିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ। ଏହା ସହିତ ମେୟର ସ୍କଟ ମଧ୍ୟ ଆକ୍ରମଣକାରୀଙ୍କ ବିଷୟରେ ସୂଚନା ବାଣ୍ଟିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ଆକ୍ରମଣକାରୀ ଫେରାର ଅଛନ୍ତି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

Share