ପାରାଦୀପ,୨୨।୩(ସ୍ବ.ପ୍ର.): ପାରାଦୀପ ବତିଘର ସୀମା ସମୁଦ୍ର କୂଳରେ ୨ ଦିନ ହେବ ଏକ ଭିନ୍ନ ପ୍ରକାରର ସାମୁଦ୍ରିକ ଶୈବାଳ ମରି ପଡ଼ିଛି। ପୋଷାକରେ ଲାଗୁଥିବା ବୋତାମ ପରି ଏହା ଦେଖାଯାଉଛି। ମଙ୍ଗଳବାର ଏହା ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି। ଏହାକୁ ଉଠାଇ ଓଲଟେଇ ଦେଖିବାରୁ ଜଣାପଡ଼ିଥିଲା ତା’ଭିତରେ କିଛି ଜୀବନ୍ତ ଜିଆ ସଦୃଶ ପୋକ ରହିଛନ୍ତି। ତା’ଭିତରୁ କିଛି ମରି ଯାଇଛନ୍ତି। ଏପରି ଶୈବାଳ ପାରାଦୀପ ବେଳାଭୂମିରେ ପ୍ରଥମ ବୋଲି ଜଣେ ମାଛଧରା ବୋଟ୍ ମାଲିକ ଅରବିନ୍ଦ ସ୍ବାଇଁ କୁହଛନ୍ତି। ମତ୍ସ୍ୟ ଅଧିକାରୀ ତଥା ସାମୁଦ୍ରିକ କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସେଠୀ ଏହାକୁ ସି’ ଅର୍ଚ୍ଚିନ ବୋଲି କହିଛନ୍ତି। ଏହା ଗଭୀର ଜଳରେ ରହିଥାନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ସେମାନଙ୍କର କିଛି ବ୍ୟତିକ୍ରମ ହୋଇଥାଇପାରେ ବୋଲି ସେ କୁହନ୍ତି।