୨୧ ସୁଦ୍ଧା ଡେଟ୍‌ ସିଲିଂ ଡିଲ୍‌

ଓ୍ବାଶିଂଟନ୍‌,୧୮ା୫: ଆମେରିକାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ସରକାର ଓ ବିରୋଧୀଙ୍କ ମଧ୍ୟରେ ସିଲିଂ ଡିଲ୍‌ ଚୂଡ଼ାନ୍ତ ନ ହେଲେ ଦେଶ ଦେବାଳିଆ ଅବସ୍ଥାକୁ ଚାଲିଯିବ। ଫଳରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ଅସମ୍ଭବ ହୋଇଯିବ। ଏଥିଯୋଗୁ ୭୦ ଲକ୍ଷ କର୍ମଚାରୀଙ୍କ ଚାକିରି ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇପାରେ। ସମସ୍ୟା ଏତେ ଜଟିଳ ଯେ, ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ୱାଡ୍‌ ସମ୍ମିଳନୀରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ କଂଗ୍ରେସନାଲ ରିପବ୍ଲିକାନ୍‌ କେଭିନ୍‌ ମ୍ୟାକ୍‌କାର୍ଥି ବୁଧବାର କହିଛନ୍ତି, ଦେଶ ପାଇଁ ଆସନ୍ନ ଆର୍ଥିକ ଦୁର୍ଗତିକୁ ଏଡ଼ାଇବା ପାଇଁ ସଂଘୀୟ ସରକାରଙ୍କ ୩୧.୪ ଟ୍ରିଲିୟନ୍‌ ଡଲାର ଡେଟ୍‌ ସିଲିଂର ସୀମା ବୃଦ୍ଧି ନେଇ ୨୧ ତାରିଖ ସୁଦ୍ଧା ସେମାନେ ଏକ ଡିଲ୍‌ କରିବାକୁ ଯାଉଛନ୍ତି। ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ଏବଂ ପ୍ରତିନିଧି ସଭା ବାଚସ୍ପତିଙ୍କ ମଧ୍ୟରେ ମାସେ ଧରି ମୁହଁାମୁହିଁ ସ୍ଥିତି ଲାଗିରହିବା ପରେ ଉଭୟେ ପ୍ରତ୍ୟକ୍ଷ ଭାବେ ଏକ ଡିଲ୍‌ ପାଇଁ ଆଲୋଚନା କରିବାକୁ ମଙ୍ଗଳବାର ରାଜି ହୋଇଥିଲେ। ସରକାରୀ ରାଜକୋଷ ଖାଲି ହେବାକୁ ବସିଥିବାବେଳେ କଂଗ୍ରେସର ଉଭୟ ସଦନରେ ଜୁନ୍‌ ୧ ଡେଡ୍‌ଲାଇନ୍‌ ପୂର୍ବରୁ ଯଥାଶୀଘ୍ର ସମ୍ଭବ ଏକ ଚୁକ୍ତିନାମା ଉପରେ ସହମତି ପ୍ରକାଶ କରି ତାକୁ ଗୃହୀତ କରାଇବାକୁ ପଡ଼ିବ। କିଛି ବିକଳ୍ପ ନ ଥିବାରୁ ଆମେ ଏକାଠି ହେବାକୁ ଯାଉଛୁ ବୋଲି ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ବାଇଡେନ୍‌ ଖବରଦାତାମାନଙ୍କୁ କହିଛନ୍ତି। ଅର୍ଥାତ୍‌ ବଜେଟର ରୂପରେଖ ନେଇ ଆଲୋଚନା ଏବଂ ଡେଟ୍‌ ସିଲିଂ ଉପରେ କଂଗ୍ରେସର ନେତାମାନେ ସହମତି ପ୍ରକାଶ କରିଛନ୍ତି। ଆମେ ଡିଫଲ୍ଟ (ଖିଲାପ) କରିବୁ ନାହିଁ। ଏଥିରେ ସମସ୍ତ ନେତା ଏକମତ ବୋଲି ବାଇଡେନ୍‌ ସ୍ପଷ୍ଟ କରିଛନ୍ତି।
୨୨୨-୨୧୩ ସଂଖ୍ୟାଗରିଷ୍ଠତା ସହ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସକୁ ନିୟନ୍ତ୍ରଣ କରୁଥିବା ରିପବ୍ଲିକାନ୍‌ମାନେ ଶାସକ ଡେମୋକ୍ରାଟ୍‌ମାନଙ୍କ ନିକଟରେ ଖର୍ଚ୍ଚକାଟ୍‌ ପରିବର୍ତ୍ତେ କଂଗ୍ରେସ ନିଜେ ଧାର୍ଯ୍ୟ କରିଥିବା ଡେଟ୍‌ ଲିମିଟ୍‌କୁ ବୃଦ୍ଧି କରିବା ନେଇ ଅନେକ ମାସ ଧରି ଦାବି କରିଆସୁଛନ୍ତି। ସରକାର ଟିକସ ବାବଦକୁ ନେଉଥିବା ଅର୍ଥର ପରିମାଣଠାରୁ ଅଧିକ ଖର୍ଚ୍ଚ କରୁଥିବାରୁ ଉକ୍ତ ସୀମାକୁ ନିୟମିତ ଭାବେ ବୃଦ୍ଧି କରାଯିବା ଆବଶ୍ୟକ। କ୍ୟାପିଟୋଲରେ ଏନେଇ ଖବରଦାତାମାନେ ପ୍ରଶ୍ନ କରିବାରୁ ମ୍ୟାକ୍‌କାର୍ଥି କହିଥିଲେ, ବାଇଡେନ୍‌ ଏସିଆ ଗସ୍ତରୁ ଫେରିବା ପରେ ଡେଟ୍‌ ସିଲିଂ ଡିଲ୍‌ ହୋଇପାରିବ। ଏଥିପାଇଁ ଆମ ହାତରେ ଖୁବ୍‌ କମ୍‌ ସମୟ ରହିଛି।
ହିରୋଶିମାରେ ମେ’ ୧୯ରୁ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ୱନେତାଙ୍କ ଜି ୭ ସମ୍ମିଳନୀରେ ଯୋଗଦେବା ପାଇଁ ବାଇଡେନ୍‌ ବୁଧବାର ଜାପାନ ଗସ୍ତ କରିଛନ୍ତି। ସେଠାକୁ ଯିବା ପୂର୍ବରୁ ବାଇଡେନ୍‌ କହିଥିଲେ, ସେ ବୈଠକରେ ଥିବାବେଳେ ବରିଷ୍ଠ ଆଇନପ୍ରଣେତାମାନଙ୍କ ସହ ଫୋନ୍‌ କଥା ହେବେ ଏବଂ ଫେରିବା ପରେ ସେମାନଙ୍କୁ ସାକ୍ଷାତ କରିବେ।
ବାଇଡେ୍‌ନ୍‌ ଓ ମ୍ୟାକ୍‌କାର୍ଥି ମଙ୍ଗଳବାର ହ୍ବାଇଟ୍‌ ହାଉସ୍‌ରେ ସିନେଟ୍‌ ମେଜରିଟି ଲିଡର ଚୁଙ୍କ୍‌ ସ୍କୁମେର, ସିନେଟ୍‌ ରିପବ୍ଲିକାନ୍‌ ଲିଡର ମିଚ୍‌ ମ୍ୟାକ୍‌କୋନେଲ ଏବଂ ହାଉସ୍‌ ଡେମୋକ୍ରାଟିକ୍‌ ଲିଡର ହାକିମ୍‌ ଜେଫ୍ରିଜ୍‌ଙ୍କ ସହ ପ୍ରାୟ ଘଣ୍ଟାଏ ସମୟ ଧରି ଆଲୋଚନା କରିଥିଲେ। ଏହି ଆଲୋଚନା ଫାଇନାନ୍ସିଆଲ ମାର୍କେଟରେ ଉତ୍ସାହିତ ଭରିଦେଇଛି। ବୁଧବାର ଆମେରିକାର ଷ୍ଟକ୍ସ ଉପରମୁହଁା ହୋଇଛି। ଡାଓ ଜୋନ୍ସ ୪୦୦ ପଏଣ୍ଟ ଉପରକୁ ଉଠିଥିବାବେଳେ ନେସ୍‌ଡେକ୍‌ ୧୬୦ ଏବଂ ଏସ୍‌ଆଣ୍ଡପି-୫୦୦ରେ ପ୍ରାୟ ୫୦ ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଛି।

ଜୁନ୍‌ ୧ ଡେଡ୍‌ଲାଇନ୍‌

ୟୁଏସ୍‌ ଟ୍ରେଜେରି କହିଛି, ଜୁନ୍‌ ୧ ସୁଦ୍ଧା ସରକାରୀ ବିଲ୍‌ ପଇଠ କରିବା ପାଇଁ ପାଣ୍ଠି ଶେଷ ହୋଇଯାଇଛି। ଷ୍ଟାଫ୍‌ଙ୍କୁ ଦରମା ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନ୍‌ସନ ଦେବା ପାଇଁ ପାଣ୍ଠି ଶେଷ ହେବା ଅବସ୍ଥାକୁ ଚାଲିଆସିଛି। ଏହାକୁ ଦେଖି ଅର୍ଥନୀତିଜ୍ଞମାନେ ମାନ୍ଦାବସ୍ଥା ମାଡ଼ିଆସିବା ଆଶଙ୍କା କରିଛନ୍ତି। ତେଣୁ ବାଇଡେନ୍‌ ରବିବାର ହିରୋଶିମାରୁ ଓ୍ବାଶିଂଟନ୍‌ ଫେରିବା ପୂର୍ବରୁ ଏକ ସହମତିରେ ପହଞ୍ଚତ୍ବା ଲାଗି ମଧ୍ୟସ୍ଥମାନେ ଉଦ୍ୟମ ଆରମ୍ଭ ଚଳାଇଛନ୍ତି। ହାଉସ୍‌ ସ୍ପିକର ମ୍ୟାକ୍‌କାର୍ଥି କହିଛନ୍ତି, ଡିଲ୍‌କୁ ଡେମୋକ୍ରାଟ୍‌ମାନଙ୍କ ୫୧-୪୯ ମାର୍ଜିନ୍‌ ନିୟନ୍ତ୍ରଣରେ ଥିବା ସିନେଟ୍‌କୁ ଅନୁମୋଦନ ପାଇଁ ପଠାଇବା ପୂର୍ବରୁ ହାଉସ୍‌ରେ ପ୍ରଥମେ ଭୋଟ କରାଯିବ। ସିନେଟ୍‌ରେ ସହମତି ପାଇଁ ଡିଲ୍‌କୁ ଅନୂ୍ୟନ ୯ ରିପବ୍ଲିକାନ୍‌ଙ୍କ ସମର୍ଥନ ଆବଶ୍ୟକ।

Share