Categories: ବାଣିଜ୍ୟ

ଜାପାନ ଗସ୍ତରେ ଫିକି-ଫୋରମ୍‌ ସାଂସଦଙ୍କ ଏକ ପ୍ରତିନିଧି ଦଳ

ଭୁବନେଶ୍ୱର, ୧୨।୧୦: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ନିମନ୍ତେ ଭାରତର ପ୍ରମୁଖ ଶିଳ୍ପ ସଂଗଠନ ଫେଡେରେଶନ ଅଫ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ପକ୍ଷରୁ ଫିକି-ଫୋରମ୍‌ ସାଂସଦଙ୍କ ଏକ ପ୍ରତିନିଧି ଦଳ ଟୋକିଓ (ଜାପାନ) ଗସ୍ତରେ ଯାଇଛନ୍ତି। ବିଶେଷକରି ସାଂସଦ ରାଜୀବ ପ୍ରସାଦ ରୁଡ୍ଡିଙ୍କ ନେତୃତ୍ୱରେ ଭାରତର ବିଭିନ୍ନ ରାଜନୈତିକ ଦଳର ସାଂସଦମାନଙ୍କ ଏହି ପ୍ରତିନିଧି ଦଳ ୩ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ଏବଂ ଅର୍ଥନୀତି, ବ୍ୟାପାର ଓ ପୁଞ୍ଜି ବିନିଯୋଗ ବିଭାଗର ମନ୍ତ୍ରୀ ୟାସୋତୋସି ନିଶିମୁରା, ଭାରତ ପ୍ରତି ଆଗ୍ରହ ରଖୁଥିବା ଜାପାନ ସାଂସଦ ପ୍ରତିନିଧି ଦଳ ‘ଗଣେଶ’ ଗ୍ରୁପ୍‌ ଏବଂ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜଙ୍କୁ ସାକ୍ଷାତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ବେଶ୍‌ ଗୁରୁତ୍ୱ ବହନ କରୁଛି ଓ ସହଭାଗୀ ମୂଲ୍ୟବୋଧ ଓ ଯୋଜନାବଦ୍ଧ କାର୍ଯ୍ୟପନ୍ଥା ଯୋଗୁ ଏହା ଅଧିକ ନିବିଡ଼ ହୋଇପାରିଛି। ବିଶେଷକରି ଉଭୟ ବହୁପକ୍ଷୀୟ ଓ ଦ୍ୱିପାକ୍ଷିକ ସ୍ତରରେ ଅନେକ କାର୍ଯ୍ୟକଳାପ ଯୋଗୁ ଏହା ଅଧିକ ସୁଦୃଢ ହୋଇଛି। ବ୍ୟବସାୟିକ ସମ୍ଭାବନାର ସମ୍ପୂର୍ଣ୍ଣ ସଦ୍‌ ଉପଯୋଗ ପାଇଁ ବିଶେଷ ଭାବେ ଉଭୟ ପକ୍ଷର ବ୍ୟବସାୟିକ ଅଂଶୀଦାରମାନଙ୍କୁ ଏକତ୍ର ଆଣିବା ଦିଗରେ ଫିକି କାର୍ଯ୍ୟ କରିବ।

Share